ନୂଆଦିଲ୍ଲୀ: ଭାରତ ଦ୍ୱାରା ଆତଙ୍କବାଦୀଙ୍କ ଉପରେ କରାଯାଇଥିବା ଅପରେସନ ସିନ୍ଦୂରକୁ ସମଗ୍ର ଦୁନିଆରେ ବେଶ ପ୍ରଶଂସା କରାଯାଉଛି । ପ୍ରତ୍ୟେକ ଭାରତୀୟ ବାୟୁସେନାକୁ ସାବାସି ଦେଉଛନ୍ତି । ଏହା ମଧ୍ୟରେ ଆମେରିକାର ପୂର୍ବତନ ପେଣ୍ଟାଗନ ଅଧିକାରୀ ତଥା ଆମେରିକାନ ଏଣ୍ଟ୍ରର ପ୍ରାଇଜ ଇନଷ୍ଟିଚ୍ୟୁଟର ବରିଷ୍ଠ ଫେଲୋ ମାଇକେଲ୍ ରୁବିନ ମଧ୍ୟ ଏହି ଘଟଣାରେ ପତିକ୍ରିୟା ଦେଇଛନ୍ତି ।
ଋୁବିନ କହିଛନ୍ତି, ଭାରତ ଦ୍ୱାରା ଅପରେସନ ସିନ୍ଦୂର ପରେ ପାକିସ୍ତାନକୁ କୂଟନୈତିକ ଓ ସୈନ୍ୟ ମୋର୍ଚ୍ଚାରେ ଶୋଚନୀୟ ପରାଜୟ ସାମ୍ନା କରିବାକୁ ପଡିଛି । ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ରୁବିନ ଏହା କହିବା ସହ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନର ପ୍ରଶଂସା କରିଛନ୍ତି ।
ସେ କହିଛନ୍ତି, ପହଲଗାମ ଆତଙ୍କୀ ହମଲା ପରେ ଭାରତ ଯେଉଁଭଳି ଭାବେ ସଠିକ୍ ଓ ସଂଯମତାର ସହ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଲା ତାହା ଦୁନିଆରେ ପାକିସ୍ତାନର ଆତଙ୍କୀ ମୁଖାକୁ ପୁଣି ଥରେ ଖୋଲି ଦେଇଛି । ମାଇକେଲ ରୁବିନ ଏହା ମଧ୍ୟ କହିଛନ୍ତି, ଭାରତ ଏହି ସଂଘର୍ଷରେ ସୈନ୍ୟ ଓ କୂଟନୈତିକ ଦୁଇ ମୋର୍ଚ୍ଚାରେ ପାକିସ୍ତାନକୁ ମାତ୍ ଦେଇ ବହୁ ପଛରେ ପକାଇ ଦେଇଛି ।
ଭାରତ ମେ ୭ ତାରିଖ ରାତିରେ ପାକିସ୍ତାନ ଓ ପିଓକେ ସ୍ଥିତ ୯ ଆତଙ୍କୀ କେନ୍ଦ୍ର ଉପରେ ଏୟାର ଷ୍ଟ୍ରାଇକ କରି ଏହାକୁ ଧ୍ୱଂସ କରି ଦେଇଛି । ଏହା ପରେ ପାକିସ୍ତାନ ପାଲଟା ଜବାବ ଦେବାକୁ ଉଦ୍ୟମ କରିଥିଲେ ହେଁ ଭାରତ ମୁହଁତୋଡ ଜବାବ ଦେଇ ପାକିସ୍ତାନର ସାମରିକ ଭିତ୍ତିଭୂମି ଓ ଏୟାରବେସକୁ ସଫଳ ଟାର୍ଗେଟ୍ କରିଥିଲା ବୋଲି ରୁବିନ କହିଛନ୍ତି ।
ସେ କହିଛନ୍ତି, ଭାରତର ଏହି ଅପରେସନରେ ପାକିସ୍ତାନୀ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଥିବା ଗଭୀର ସଂପର୍କକୁ ଦୁନିଆ ସାମ୍ନାରେ ଉଜାଗର କରି ଦେଇଛି । ଯେବେ ପାକିସ୍ତାନୀ ସେନାର ଅଧିକାରୀ ପୋଷାକରେ ଆସି ଆତଙ୍କବାଦୀଙ୍କ ଶେଷ କୃତ୍ୟରେ ସାମିଲ ହେଉଛନ୍ତି । ଏଥିରୁ ବୁଝି ହେଉଛି ଯେ, କିଏ ଆତଙ୍କୀ ଏବଂ କିଏ ସେନା ।
ପାକିସ୍ତାନ ଉପରେ କଡ଼ା ମନ୍ତବ୍ୟ ଦେଇ ରୁବିନ୍ କହିଛନ୍ତି ଯେ ଏହି ଚାରି ଦିନର ମୁକାବିଲାରେ ପାକିସ୍ତାନର ଅବସ୍ଥା ଏକ ଭୟଭୀତ କୁକୁର ପରି ହୋଇଯାଇଛି, ଯିଏ ନିଜ ଗୋଡ଼ ମଧ୍ୟରେ ଲାଞ୍ଜ ରଖି ଯୁଦ୍ଧବିରତି ଭିକ ମାଗିବାକୁ ଦୌଡିଲା । ପାକିସ୍ତାନ ଏବେ କୌଣସି ପ୍ରକାରେ ଏହି ପରାଜୟକୁ ଲୁଚାଇ ପାରିବ ନାହିଁ।