ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୱାକଫ (ସଂଶୋଧନ) ଆଇନ, ୨୦୨୫ ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନର ଶୁଣାଣିକୁ ମେ ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇ ସଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ ୱାକଫ ମାମଲାରେ ସୁପ୍ରିମକୋର୍ଟ ଦ୍ୱାରା ଚିହ୍ନଟ ତିନୋଟି ପ୍ରସଙ୍ଗ ଉପରେ ବିସ୍ତୃତ ଜବାବ ଦାଖଲ କରାଯାଇଛି ।
କେନ୍ଦ୍ର ପ୍ରତିଶ୍ରୁତି ଦେଇଛି ଯେ ୱାକଫ ଆଇନର ପ୍ରମୁଖ ବ୍ୟବସ୍ଥା, ଯେଉଁଥିରେ କେନ୍ଦ୍ରୀୟ ୱାକଫ ପରିଷଦ ଏବଂ ୱାକଫ ବୋର୍ଡରେ ଅଣ-ମୁସଲମାନମାନଙ୍କୁ ଅନ୍ତର୍ଭୁକ୍ତ କରିବା ଏବଂ ୱାକଫ ସମ୍ପତ୍ତିର ଅଣ ଅଧିସୂଚିତ କରିବା ଆଦି ବର୍ତ୍ତମାନ ପାଇଁ କାର୍ୟ୍ୟକାରୀ ହେବ ନାହିଁ ଏବଂ ଏସବୁ ଉପରେ ସ୍ଥିତାବସ୍ଥା ବଜାୟ ରହିବ।
ସୂଚନାଯୋଗ୍ୟ, ବହୁ ବିଚାର ବିମର୍ଶ ଓ ସଂସଦର ଉଭୟ ଗୃହରେ ଦୀର୍ଘ ସମୟ ଆଲୋଚନା ଏବଂ ଭୋଟିଂ ପରେ ୱାକଫ ସଂଶୋଧିତ ବିଧେୟକ ପାରିତ ହୋଇଥିଲା । ଏହା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ମଞ୍ଜୁରୀ ଦେଇଥିଲେ । ତେବେ କେନ୍ଦ୍ର ସରକାରଙ୍କ ଏହି ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ବିରୋଧୀ କଂଗ୍ରେସ ସମେତ ଅନେକ ପ୍ରମୁଖ ମୁସଲିମ ସଙ୍ଗଠନ । ଏହା ପରେ କୋର୍ଟରେ ଶୁଣାଣି ଜାରି ରହିଛି ।