ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ କିଏ ଭାରତର ବନ୍ଧୁ ଏବଂ କିଏ ଭାରତର ଶତ୍ରୁ ତାହା ସ୍ପଷ୍ଟ ହୋଇଯାଇଛି । ବିଶେଷକରି ଯେଉଁ ତୁର୍କୀକୁ ସବୁ ବିପଦ ସମୟରେ ଭାରତ ସହଯୋଗର ହାତ ବଢ଼ାଇଥିଲା ସେହି ତୁର୍କୀ ଏବେ ବଡ଼ ଶତ୍ରୁ ପାଲଟି ଯାଇଛି । ବାରମ୍ବାର ଭାରତର ସାହାଯ୍ୟ ତଳେ ଦବି ରହିଥିବା ତୁର୍କୀ ପାକିସ୍ତାନକୁ ଯୁଦ୍ଧାସ୍ତ୍ର ଯୋଗାଇଛି । ଯାହାକୁ ପାକିସ୍ତାନ ଭାରତ ବିରୁଦ୍ଧରେ ପ୍ରଯୋଗ କରିଥିଲା । ଯାହାକୁ ଭାରତୀୟ ସେନା ଧ୍ୱଂସ କରିଦେଇଥିଲେ । ତେବେ ତୁର୍କୀକୁ ଏବେ ନୁହେଁ ବରଂ ସ୍ୱାଧୀନତା ପୂର୍ବରୁ ଭାରତ ସାହାଯ୍ୟ କରିଆସିଛି ।
୨୦୨୩ ଭୂକମ୍ପ
୨୦୨୩ରେ ଏକ ପ୍ରଳୟକାରୀ ଭୂକମ୍ପରେ ଥରିଉଠିଥିଲା ତୁର୍କୀ । ଭାରତ ବଢ଼ାଇଥିଲା ବନ୍ଧୁତ୍ୱର ହାତ । “ଅପରେସନ୍ ଦୋସ୍ତ” ଜରିଆରେ କରିଥିଲା ସାହାଯ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ମେଡ଼ିକାଲ ଟିମ୍ ଓ ଉଦ୍ଧାରକାରୀ ଦଳ ତୁର୍କୀ ଗସ୍ତ କରିଥିଲେ । ୧୫୦ ସଦସ୍ୟ ବିଶିଷ୍ଟ ୩ଟି ଏନଡିଆରଏପ୍ ଟିମ୍, ୯୯ ଜଣିଆ ଡାକ୍ତରୀ ଟିମ୍, ରିଲିଫ୍ ସାମଗ୍ରୀ, ସନ୍ଧାନୀ କୁକୁର ଆଦି ପଠାଯାଇଥିଲା । ନିଜକୁ ପ୍ରାଣକୁ ଉତ୍ସର୍ଗ କରି ଭଙ୍ଗା ଘର ତଳେ ଥିବା ପୀଡ଼ିତଙ୍କୁ ଗୋଟି ଗୋଟି କରି ଉଦ୍ଧାର କରିଥିଲେ ଏନଡିଆରଏଫ୍ ଟିମ୍ । ତୁର୍କୀର ରାଷ୍ଟ୍ରଦୂତ ଫିରତ୍ ସୁନେଲ ଭାରତକୁ ପ୍ରଶଂସା କରି “ପ୍ରକୃତ ବନ୍ଧୁ”ର ଆଖ୍ୟା ଦେଇଥିଲେ ।
କରୋନା ମହାମାରୀ-୨୦୨୦
୨୦୨୦ କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଥିଲା । ଭାରତ ମଧ୍ୟ ଯଥାସମ୍ଭବ ଅନ୍ୟ ଦେଶକୁ ସାହାଯ୍ୟ କରିଥିଲା । ତୁର୍କୀକୁ ପିପିଟ୍ କିଟ୍, ରୋଗ ପ୍ରତିରୋଧକ ଟୀକା, ଭେଣ୍ଟିଲେଟର୍ ଇତ୍ୟାଦି ସାମଗ୍ରୀ ପଠାଇ ବନ୍ଧୁ ପଣିଆ ଦେଖାଇଥିଲା । ଖାଲି ସେତିକି ନୁହେଁ । ଭାରତ ସରକାର ଆର୍ଥିକ ସହାୟତା ମଧ୍ୟ ଦେଇଥିଲେ । ଭାରତ ୧୦୦ ମିଲିୟନ୍ ଡଲାରର ଆର୍ଥିକ ସାହାଯ୍ୟ ଦେଇଥିଲା ଭାରତ ।
ମରମରା ଭୂକମ୍ପ-୧୯୯୯
ସେହିପରି ୧୯୯୯ ମସିହା ଅଗଷ୍ଟ ମାସରେ ତୁର୍କୀ ଆଉ ଏକ ପ୍ରକୃତିର ତାଣ୍ଡବକୁ ସାମ୍ନା କରିଥିଲା । ମରମରା ସମୁଦ୍ରରେ ୬.୨ ତିବ୍ରତାର ଭୂକମ୍ପରେ ଥରି ଉଠିଥିଲା ଇସ୍ତାନବୁଲ । ଯେଉଁଥିରେ ୧୭, ୦୦୦ ଲୋକଙ୍କର ଜୀବନ ମଧ୍ୟ ଯାଇଥିଲା । ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ବେସାହାରା ହୋଇଯାଇଥିଲେ । ତୁର୍କୀରେ ଏହା ସବୁଠାରୁ ବିନାଶ କାରୀ ଭୂମିକମ୍ପ ବୋଲି କୁହାଯାଏ । ଆଜକୁ ୨୫ ବର୍ଷ ତଳେ ମଧ୍ୟ ଭାରତ ତୁର୍କୀ ସହ ଛିଡ଼ା ହୋଇଥିଲା । ଭାରତ ସରକାର ଏନଡିଆରଏଫ ଟିମ୍ ସହିତ ଔଷଧ, ଖାଦ୍ୟ, ପାଣି, ରିଲିଫ୍ ସାମଗ୍ରୀ ପଠାଇଥିଲା ।
ଶୀତ୍ ଯୁଦ୍ଧ-୧୯୭୦
୧୯୭୦ ଶୀତ୍ ଯୁଦ୍ଧବେଳେ ଭାରତ ତୁର୍କୀକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିଲା । ଆର୍ଥିକ ସହାୟତାଠାରୁ ଆରମ୍ଭ ଟେକ୍ନୋଲୋଜି ଯାଏ ସମସ୍ତ ସହଯୋଗ କରିଥିଲା । କୃଷି, ଶିକ୍ଷା ଏବଂ ଆର୍ଥିକ ବିକାଶ ପାଇଁ ଆର୍ଥିକ ଅନୁଦାନ ଏବଂ ଋଣ ପ୍ରଦାନ କରିଥିଲା ଭାରତ ।
ତୁର୍କୀ ପାଇଁ ଭାରତୀୟଙ୍କ ଖିଲାଫତ ଆନ୍ଦୋଳନ-୧୯୧୯-୧୯୨୨
ପ୍ରଥମ ବିଶ୍ୱଯୁଦ୍ଧ ସମୟରେ, ତୁର୍କୀ (ସେତେବେଳର ଅଟୋମାନ ସାମ୍ରାଜ୍ୟ) ବ୍ରିଟିଶ ଏବଂ ଅନ୍ୟାନ୍ୟ ସହଯୋଗୀ ଦେଶମାନଙ୍କ ସହିତ ଲଢ଼ୁଥିଲା । ସେତେବେଳେ ଭାରତ ଏକ ବ୍ରିଟିଶ ଉପନିବେଶ ଥିଲା, କିନ୍ତୁ ପ୍ରଥମ ବିଶ୍ୱଯୁଦ୍ଧ ପରେ ତୁର୍କୀକୁ ବିଭାଜିତ କରିବା ପାଇଁ ବ୍ରିଟିଶ ଶାସନର ନିଷ୍ପତ୍ତିର ପ୍ରତିବାଦ କରି ଭାରତୀୟ ମୁସଲମାନମାନେ ୧୯୧୯-୧୯୨୨ ମଧ୍ୟରେ ଖିଲାଫତ ଆନ୍ଦୋଳନ ଆରମ୍ଭ କରିଥିଲେ। ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ। ସମସ୍ତେ ମିଶି ତୁର୍କୀକୁ କ୍ଷତି ପହଞ୍ଚାଉଥିବା ବ୍ରିଟିଶ ସରକାରଙ୍କ ନୀତିକୁ ବିରୋଧ କରିଥିଲେ।
ବିଶ୍ୱ ବାଣିଜ୍ୟ ସଂଗଠନ
ଭାରତ ବିଶ୍ୱ ବାଣିଜ୍ୟ ବ୍ଲକ ଏବଂ ବିଶ୍ୱ ବାଣିଜ୍ୟ ସଂଗଠନରେ ତୁର୍କୀର ଅନ୍ତର୍ଭୁକ୍ତିକୁ ସମର୍ଥନ କରିଥିଲା। କେବଳ ଏତିକି ନୁହେଁ, ଭାରତ ୟୁରୋପୀୟ ସଂଘରେ ତୁର୍କୀର ଅନ୍ତର୍ଭୁକ୍ତିକୁ ମଧ୍ୟ ସମର୍ଥନ କରିଥିଲା।