ନୂଆଦିଲ୍ଲୀ: ଇତିହାସ ରଚିଲେ ନୀରଜ ଚୋପ୍ରା। ଦୋହା ଡାଇମଣ୍ଡ ଲିଗରେ ୯୦ମିଟରରୁ ଅଧିକ ଦୂରତା ଜାଭେଲିନ୍ ଫିଙ୍ଗି ଜାତୀୟ ରେକର୍ଡ କରିଛନ୍ତି ନୀରଜ। ଏହି ତାରକା ଖେଳାଳି ନିଜର ତୃତୀୟ ପ୍ରୟାସରେ ୯୦.୨୩ ମିଟର ଜାଭେଲିନ୍ ଥ୍ରୋ କରିଥିଲେ। ନୀରଜ ଚୋପ୍ରା ଏହି ସଫଳତା ହାସଲ କରିବାରେ ବିଶ୍ୱର ୨୫ତମ ଖେଳାଳି ହୋଇଛନ୍ତି। ନୀରଜ ଚୋପ୍ରା ୯୦ ମିଟରରୁ ଅଧିକ ଜାଭେଲିନ୍ ଫିଙ୍ଗିବାରେ ତୃତୀୟ ଏସୀୟ ଖେଳାଳି ହୋଇଛନ୍ତି। ନୀରଜ ୯୦.୨୩ ମିଟର ଫିଙ୍ଗି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି।
ନୀରଜ ଚୋପ୍ରା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ସ୍କୋର କରିଥିଲେ ହେଁ ଏହି ଭାରତୀୟ ଖେଳାଳି ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଚନ୍ତି। ନୀରଜ ଚୋପ୍ରା ଡାଇମଣ୍ଡ ଲିଗରେ ରୌପ୍ୟ ପଦକ ଜିତିଛନ୍ତି। ଜର୍ମାନୀର ଜୁଲିଆନ୍ ୱେବର ଦୋହା ଡାଇମଣ୍ଡ ଲିଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଜୁଲିଆନ୍ ୱେବର ୯୧.୦୬ ମିଟର ଦୂରତା ଜାଭେଲିନ୍ ଫିଙ୍ଗି ଏହି ଲିଗ୍ର ଶ୍ରେଷ୍ଠ ସ୍କୋର କରିଛନ୍ତି। ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଆଉ ଜଣେ ଭାରତୀୟ ଖେଳାଳି ତଥା ଓଡ଼ିଶାର ପୁଅ କିଶୋର ଜେନା ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। କିଶୋର ୭୮.୬୦ ମିଟରରେ ଜାଭେଲିନ୍ ଫିଙ୍ଗି ପାରିଥିଲେ।
ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରା ତାଙ୍କ ପ୍ରଥମ ପ୍ରୟାସରେ ୮୮.୪୪ ମିଟର ଭାଲା ଫିଙ୍ଗିଥିଲେ, କିନ୍ତୁ ତୃତୀୟ ପ୍ରୟାସରେ ୯୦.୨୩ ମିଟର ଜାଭେଲିନ୍ ଫିଙ୍ଗି ପଦକ ସୁନିଶ୍ଚିତ କରିସାରିଥିଲେ। କିନ୍ତୁ ଜର୍ମାନୀର ଜୁଲିଆନ୍ ୱେବର ତାଙ୍କ ଶେଷ ପ୍ରୟାସରେ ୯୧.୦୬ ମିଟର ଜାଭେଲିନ୍ ଫିଙ୍ଗି ନୀରଜ ଚୋପ୍ରାକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି। ଦୋହା ଡାଇମଣ୍ଡ ଲିଗରେ ଗ୍ରେନାଡାର ପିଟର୍ସ ଆଣ୍ଡରସନ୍ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ଆଥଲେଟ୍ ୮୫.୬୪ ମିଟର ଜାଭେଲିନ୍ ଫିଙ୍ଗିଥିଲେ।