ନୂଆଦିଲ୍ଲୀ: ଦକ୍ଷିଣ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ‘ଅପରେସନ ସିନ୍ଦୂର’ ଆରମ୍ଭ କରି ପାକିସ୍ତାନକୁ ଏକ କଠୋର ଆଘାତ ଦେଇଥିଲା। ଏହାକୁ ମନେ ପକାଇ ପାକିସ୍ତାନ ଏବେ ବି ଭୟଭୀତ ଅବସ୍ଥାରେ ରହିଛି। ପ୍ରାରମ୍ଭରେ ପାକିସ୍ତାନ ଭାରତୀୟ ଆକ୍ରମଣ ଯୋଗୁଁ କୌଣସି କ୍ଷତି ହୋଇଛି ବୋଲି ଗ୍ରହଣ କରୁନଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେନା ଦ୍ୱାରା ଜାରି ହୋଇଥିବା ବୟାନ ଏବଂ ଫୁଟେଜ୍ ସବୁକିଛି ପ୍ରମାଣିତ କରିଥିଲା।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସ୍ୱୀକାର କରୁଥିବାର ଦେଖାଯାଉଛି ଯେ ଭାରତ ପାକିସ୍ତାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି ଓ ଏହା ଦ୍ବାରା ବହୁତ କ୍ଷତି କରିଛି।
ଭିଡିଓରେ ଶାହବାଜ ସରିଫ କହିଛନ୍ତି ଯେ ଗତ ୧୦ ତାରିଖ ଦିନ ପ୍ରାୟ ୨:୩୦ ସମୟରେ ଜେନେରାଲ ସୟଦ ଅସୀମ ମୁନିର ମୋତେ ଫୋନ୍ କରି ଜଣାଇଥିଲେ ଯେ ଭାରତୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନୁର ଖାନ ଏୟାରବେସ୍ ଏବଂ ଅନ୍ୟାନ୍ୟ ଅଞ୍ଚଳ ଉପରେ ଆକ୍ରମଣ କରିଛି। ଆମର ବାୟୁସେନା ଆମ ଦେଶକୁ ସୁରକ୍ଷା ଦେବା ପାଇଁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଥିଲା ଏବଂ ସେମାନେ ଚୀନ୍ ଜେଟ୍ରେ ଆଧୁନିକ ଗ୍ୟାଜେଟ୍ ଏବଂ ପ୍ରଯୁକ୍ତିବିଦ୍ୟା ମଧ୍ୟ ବ୍ୟବହାର କରିଥିଲେ।
ଶୁକ୍ରବାର ପାକିସ୍ତାନ ମେମୋରିଆଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସରିଫ ଏହି ବକ୍ତବ୍ୟ ଦେଇଥିଲେ। ବିଜେପି ନେତା ଅମିତ ମାଲବ୍ୟ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି। ମାଲବ୍ୟ କହିଛନ୍ତି ଯେ ଏପରି ଏକ ଅପରେସନ ସିନ୍ଦୂରର ସଠିକତା ଏବଂ ସାହସକୁ ପ୍ରତିଫଳିତ କରେ। ବାରମ୍ବାର ଅସ୍ୱୀକାର କରିବା ପରେ ପାକ୍ ପ୍ରଧାନମନ୍ତ୍ରୀ ସରିଫ ସ୍ୱୀକାର କଲେ ଯେ ଭାରତୀୟ କ୍ଷେପଣାସ୍ତ୍ର ନୁର ଖାନ ବିମାନଘାଟି ଉପରେ ଆକ୍ରମଣ କରିଛି।
ଅଧିକ ପଢ଼ନ୍ତୁ : ଇସ୍ରାଏଲ୍ ଆତଙ୍କବାଦୀଙ୍କ ବିରୋଧରେ ଜାରି ରଖିଛି ଅଭିଯାନ