ନୂଆଦିଲ୍ଲୀ: ବିଶ୍ୱକୁ ଅପରେସନ ସିନ୍ଦୂରର ସନ୍ଦେଶ ଦେବ ଭାରତ। ପାକିସ୍ତାନର ପ୍ରାୟୋଜିତ ଆତଙ୍କବାଦକୁ ସାରା ବିଶ୍ୱ ସମ୍ମୁଖକୁ ଆଣିବାକୁ କେନ୍ଦ୍ର ସରକାର ଗଠନ କରିଛନ୍ତି ସର୍ବଦଳୀୟ ପ୍ରତିନିଧୀ ମଣ୍ଡଳୀ। ପ୍ରାୟ ୩୦ ସାଂସଦଙ୍କୁ ନେଇ ଗଠିତ ହୋଇଛି ପ୍ରତିନିଧୀ ମଣ୍ଡଳୀ। ପ୍ରତ୍ୟେକ ଟିମରେ ୭ ପ୍ରମୁଖ ନେତା ଏହାର ନେତୃତ୍ୱ ନେବେ। ଚଳିତ ମାସ ୨୨ ଓ ୨୩ ତାରିଖରୁ ୧୦ ଦିନିଆ ବିଦେଶ ଗସ୍ତରେ ଯିବେ ଏହି ପ୍ରତିନିଧୀ ମଣ୍ଡଳୀ। ଗସ୍ତବେଳେ ଆମେରିକା, ବ୍ରିଟେନ, ଦକ୍ଷିଣ ଆଫ୍ରିକା, କାଟାର ଓ ୟୁଏଇକୁ ଯିବେ। ଆନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ମୁଖା ଖୋଲିବେ ଏହି ପ୍ରତିନିଧୀ ମଣ୍ଡଳୀ। ଅନ୍ତର୍ଜାତୀୟ ସ୍ତରରେ ଏକ ପ୍ରଚାର କାର୍ଯ୍ୟକ୍ରମ କରିବାକୁ ଯାଉଛି ଭାରତ। ସେଠାରେ ଏହି ପ୍ରତିନିଧୀ ମଣ୍ଡଳୀ ବିଦେଶ ରାଷ୍ଟ୍ରଙ୍କୁ ଅବଗତ କରିବେ। ଭାରତ ସରକାରଙ୍କ ଆତଙ୍କବାଦର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ଅପରେସନ ସିନ୍ଦୂରର ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବେ।
ତେବେ ଏହି ପ୍ରତିନିଧୀ ମଣ୍ଡଳୀରେ ଶାସକ ବିଜେପି ସମତେ ବିରୋଧୀ କଂଗ୍ରେସ, ଟିଏମସି, ଡିଏମକେ, ଏନସିପି(ସପା), ଜେଡିୟୁ, ସିପିଆଇ(ଏମ), ବିଜେଡ଼ି ଓ ଅନ୍ୟଦଳର ସାଂସଦ ସାମିଲ ହେବେ। ଏହି ଟିମ୍ ରେ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ସ୍ଥାନ ମିଳିଥିବା କୁହାଯାଉଛି । ଏହାଛଡ଼ା ବିଜେପି ସାଂସଦ ଅପରାଜିତ ଷଡ଼ଙ୍ଗୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ନାଁ ମଧ୍ୟ ରହିଛି। ସେହିପରି ଶଶୀ ଥରୁରଙ୍କ ବ୍ୟତୀତ କଂଗ୍ରେସର ଆଉ ୩ ସାଂସଦଙ୍କ ସହ ଯୋଗାଯୋଗ କରାଯାଉଛି। ସେମାନଙ୍କ ମଧ୍ୟରେ ମନୀଷ ତିୱାରୀ, ସଲମାନ ଖୁର୍ସିଦ ଓ ଅମର ସିଂ ଅଛନ୍ତି। ଏହାଛଡ଼ା ଟିଏମସିର ସୁଦୀପ ବନ୍ଦୋପଧ୍ୟାୟ, ଜେଡ଼ିୟୁର ସଞ୍ଜୟ ଝା, ଏନସିପି (ସପା)ର ସୁପ୍ରିୟା ସୁଲେ, ଡିଏମକେର କେ କାନିମାଝୀ, ସିପିଆଇଏମର ଜନ ବ୍ରିଟାସ ଓ ଏମଆଇଏମଆଇଏର ଅସଦୁଦ୍ଦିନ ଓୱେସୀ ସାମିଲ ଅଛନ୍ତି।