ମୁମ୍ବାଇ: ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ତାଜମହଲ ପ୍ୟାଲେସ ହୋଟେଲକୁ ବୋମା ଧମକ ମିଳିଛି। ଏହି ଧମକ ମୁମ୍ବାଇ ବିମାନବନ୍ଦର ପୋଲିସର ଇମେଲ୍ ଆଇଡିକୁ ମେଲ୍ ମାଧ୍ୟମରେ ପଠାଯାଇଛି, ଯେଉଁଥିରେ ପୁଣି ଥରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ମାଡ଼ କରିବାର ଧମକ ଦିଆଯାଇଛି। ଇମେଲରେ କୁହାଯାଇଛି ଯେ ତାଜମହଲ ପ୍ୟାଲେସ ହୋଟେଲ ଏବଂ ବିମାନବନ୍ଦର ଉପରେ ବୋମା ମାଡ଼ କରାଯିବ। ଏହି ଇମେଲ ମିଳିବା ମାତ୍ରେ ସହରରେ ହଇଚଇ ସୃଷ୍ଟି ହୋଇଯାଇଛି। ପୋଲିସ ଓ ସୁରକ୍ଷା ଏଜେନ୍ସି ସର୍ତକ ହୋଇ ତଦନ୍ତ ଆରମ୍ଭ କରିଛନ୍ତି। ଆତଙ୍କବାଦୀ ଅଫଜଲ ଗୁରୁ ଏବଂ ସୌଭିକ୍ ଶଙ୍କରଙ୍କ ଫାଶୀ ଦିଆଯିବାକୁ ବିରୋଧ କରି ଆସିଛି ଏହି ଧମକପୂର୍ଣ୍ଣ ମେଲ। ତେବେ ମୁମ୍ବାଇ ପୋଲିସ ମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଟ୍ରେସ କରୁଛି।
ବିମାନବନ୍ଦରରେ ବଢିଲା ସୁରକ୍ଷା:
ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ମୁମ୍ବାଇରେ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି। ଏଠାରେ, କୁକୁର ସ୍କ୍ୱାଡ୍ ଦଳ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ତାଜମହଲ ପ୍ୟାଲେସ୍ ହୋଟେଲର ପ୍ରତ୍ୟେକ କୋଣରେ ତଲାସି ନେଇଛନ୍ତି। ମୁମ୍ବାଇ ପୋଲିସ ମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରିଛି। ଏହା ପୂର୍ବରୁ ମଧ୍ୟ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ମାଡ଼ ଧମକ ମିଳିଥିଲା।