ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହୋଇଛି ମଡେଲ୍ ତଥା ଅଭିନେତ୍ରୀ ତ୍ୱିଷା ଶର୍ମାଙ୍କ ପାର୍ଥିବ ଶରୀର । ଭାଇ ମେଜର୍ ହର୍ଷିତ ଶର୍ମା ଲୁହ ଭିଜା ଆଖିରେ ଭଉଣୀ ମୁହଁରେ ମୁଖାଗ୍ନି ଦେଇଛନ୍ତି । ଏହି ସମୟରେ ସମ୍ପୂର୍ଣ୍ଣ ପରିବେଶ ଲୁହରେ ଭିଜିଥିଲା । ପରିବାର ଲୋକଙ୍କ ଓଠରେ କିଛି ଶବ୍ଦ ନ ଥିଲା ଆଖିରେ ଥିଲା କେବଳ ଲୁହ ।
ଆଜି ଭୋପାଳ ଏମ୍ସରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତ୍ୱିଷାଙ୍କର ଦ୍ୱିତୀୟ ଥର ଶବ ବ୍ୟବଚ୍ଛେଦ କରାଯାଇଥିଲା । ଦିଲ୍ଲୀ ଏମ୍ସର ଚାରି ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଦଳ ଭୋପାଲରେ ପହଁଚି ଶବ ବ୍ୟବଚ୍ଛେଦ କରିବା ଫେରିଯାଇଥିଲେ । ଏହା ପରେ ଡାକ୍ତରଖାନାରୁ ଭଦଭଦା ଶ୍ମଶାନ ଘାଟ ପର୍ଯ୍ୟନ୍ତ ତ୍ୱିଷାଙ୍କ ପାର୍ଥିବ ଶରୀରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଣାଯାଇଥିଲା । ଏହା ପରେ ପ୍ରିୟ ପରିଜନଙ୍କ ଗହଣରେ ତ୍ୱିଷାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।
ଉଲ୍ଲେଖ ଯୋଗ୍ୟ, ତ୍ୱିଷା ଶର୍ମା ଏବଂ ସମର୍ଥ ସିଂହ ମଧ୍ୟରେ ଡିସେମ୍ବରରେ ବିବାହ ହୋଇଥିଲା । ୧୨ ମେରେ ଭୋପାଲର କଟାରା ହିଲ୍ସ ସ୍ଥିତ ଶ୍ୱଶୁର ଘରୁ ତ୍ୱିଷାଙ୍କ ଝୁଲନ୍ତା ମୃତ ଦେହ ମିଳିଥିଲା । ତ୍ୱିଷାଙ୍କ ପରିବାର ଶାଶୁ ଘର ଲୋକଙ୍କ ଉପରେ ଯୌତୁକ ନିର୍ଯ୍ୟାତନାର ଅଭିଯୋଗ ଆଣିଛନ୍ତି । ତ୍ୱିଷାଙ୍କ ପରିବାର ସ୍ୱାମୀ ସମର୍ଥ ସିଂହ ଏବଂ ତାଙ୍କ ମାଆ ଗିରିବାଳା ସିଂହଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି ।
ଏହା ସହିତ ପରିବାର ଲୋକେ ତ୍ୱିଷାଙ୍କର ଦ୍ୱିତୀୟ ଥର ଶବ ବ୍ୟବଚ୍ଛେଦ କରିବାକୁ ହାଇକୋର୍ଟରେ ଆବେଦନ କରିଥିଲେ । ଯାହାକୁ କୋର୍ଟ ଗ୍ରହଣ କରି ଏଥିପାଇଁ ଅନୁମତି ପ୍ରଦାନ କରିଥିଲେ । ଦ୍ୱିତୀୟ ଥର ଶବ ବ୍ୟବଚ୍ଛେଦ ପରେ ତ୍ୱିଷାଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି । ସ୍ୱାମୀ ସମର୍ଥ ଜବଲପୁର କୋର୍ଟରେ ଆତ୍ମସମର୍ପଣ କରିବା ପରେ ଗିରଫ ହୋଇଛନ୍ତି ।
ତ୍ୱିଷା ଶର୍ମାଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାରେ ସାରା ଦେଶକୁ ଦୋହଲାଇ ଦେଇଛି । ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ନିଜସ୍ୱ ଆଡ଼ୁ ମାମଲା ରୁଜୁ କରି ଶୁଣାଣି କରିବାକୁ କହିଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ବିପୁଲ ଏମ୍. ପଞ୍ଚୋଲୀଙ୍କ ତିନି ଜଣିଆ ଖଣ୍ଡପୀଠ ସୋମବାର ଦିନ ଶୁଣାଣି କରିବେ । ତ୍ୱିଷାଙ୍କ ଶାଶୁ ଅର୍ଥାତ ସମର୍ଥକଙ୍କ ମାଆ ଗିରିବାଳା ଜଣେ ଅବସରପ୍ରାପ୍ତ ବିଚାରପତି ହୋଇଥିବାରୁ ତଦନ୍ତ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ ତ୍ୱିଷାଙ୍କ ଭାଇ ଖୁବଶୀଘ୍ର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ।