ଦିଲ୍ଲୀ ପୋଲିସ ତା’ର ୧୫ଟି ଜିଲ୍ଲା, ଟ୍ରାଫିକ୍ ଏବଂ ଅନ୍ୟାନ୍ୟ ୟୁନିଟ୍ ପାଇଁ ୩୨ଟି AI ଡ୍ରୋନ୍ କିଣିବାକୁ ଯାଉଛି । ଦିଲ୍ଲୀରେ କିଛି ସମ୍ବେଦନଶୀଳ ଅଞ୍ଚଳରେ ନଜର ରଖିବା ହେଉ କିମ୍ବା ଶୋଭାଯାତ୍ରାରେ ନଜର ରଖିବା ଏ ସବୁ ପାଇଁ ଦିଲ୍ଲୀ ପୋଲସ ଡ୍ରୋନ ଗୁଡିକୁ ଭଡା ଆକାରରେ ନେଉଥିଲା ।
ତେବେ ଏସବୁକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଡ୍ରୋନ କିଣିବାକୁ ନିଷ୍ପତ୍ତି ନେଇଛି ବୋଲି ସୂଚନା ମିଳିଛି । ଡ୍ରୋନ କିଣିବା ପର୍ଯ୍ୟାୟକ୍ରମେ ହେବ । ପ୍ରଥମ ପର୍ଯ୍ୟାୟରେ ୩୨ଟି ଡ୍ରୋନ୍ କିଣାଯାଉଛି, ପ୍ରତେକଟି ଡ୍ରୋନର ମୂଲ୍ୟ ପ୍ରାୟ ୩0 ଲକ୍ଷ ଟଙ୍କା ହେବ। ପରେ, ଆବଶ୍ୟକତା ଅନୁସାରେ ଅଧିକ ଡ୍ରୋନ କିଣାଯିବ। ଏହି ଡ୍ରୋନଗୁଡ଼ିକ ୧୫ଟି ଜିଲ୍ଲା ପୋଲିସ, ଟ୍ରାଫିକ୍ ଏବଂ ପୋଲିସ ବାହିନୀର ଅନ୍ୟାନ୍ୟ ୟୁନିଟ୍କୁ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି । ଡ୍ରୋନ କିଣିବା ପାଇଁ ଘରୋଇ କମ୍ପାନୀଗୁଡ଼ିକ ପାଇଁ ଟେଣ୍ଡର ଜାରି କରାଯାଇଛି।
ପୋଲିସ ସୂତ୍ର ଅନୁଯାୟୀ, ଏହି ଡ୍ରୋନଗୁଡ଼ିକରେ କ୍ୟାମେରା ଲାଗିବ ଏବଂ ଏହାକୁ ସ୍ୱତନ୍ତ୍ର ଭାବରେ ନିରୀକ୍ଷଣ ପାଇଁ ବ୍ୟବହାର କରାଯିବ। ଏହି ଡ୍ରୋନଗୁଡ଼ିକ ଉଚ୍ଚମାନର ଭିଡିଓ କରିବାର ସହିତ ଭିଡିଓ ଜୁମ୍ କରିବାର କ୍ଷମତା ମଧ୍ୟ ରଖିବ । ଏଗୁଡ଼ିକ ନାଇଟ୍ ଭିଜନ୍ କ୍ୟାମେରା ସହିତ ସଜ୍ଜିତ ହେବ। କେବଳ ଏତିକି ନୁହେଁ, ଯେଉଁ କମ୍ପାନୀଠାରୁ ଡ୍ରୋନ କିଣାଯିବ, ସେହି କମ୍ପାନୀ ପୋଲିସ କର୍ମଚାରୀଙ୍କୁ ଡ୍ରୋନ ଉଡ଼ାଇବା ପାଇଁ ତାଲିମ ମଧ୍ୟ ଦେବ। ଦିଲ୍ଲୀ ପୋଲିସ ପ୍ରଥମେ ୨୦୧୪ ମସିହାରେ ତ୍ରିଲୋକପୁରୀ ଦଙ୍ଗା ସମୟରେ ଡ୍ରୋନ ବ୍ୟବହାର କରିଥିଲା। ୨୦୨୦-୨୧ ମସିହାରେ ଚାଷୀ ଆନ୍ଦୋଳନ ସମୟରେ ରାଜଧାନୀ ସୀମାରେ ପରିସ୍ଥିତି ଉପରେ ନଜର ରଖିବା ପାଇଁ ଦିଲ୍ଲୀ ପୋଲିସ ଡ୍ରୋନକୁ ବହୁଳ ଭାବରେ ବ୍ୟବହାର କରିଥିଲା। ଏହା ବ୍ୟତୀତ, କରୋନା ମହାମାରୀ ସମୟରେ ସାରା ସହରରେ କଟକଣା ଲାଗୁ କରିବା ପାଇଁ ଡ୍ରୋନ ବ୍ୟବହାର କରାଯାଇଥିଲା।
୨୦୨୦ ମସିହାରେ ରାଜ୍ୟରେ ହୋଇଥିବା ଦଙ୍ଗା ସମୟରେ ହିଂସା ପ୍ରଭାବିତ ଅଞ୍ଚଳର ଲୋକଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଦିଲ୍ଲୀ ପୋଲିସ ଡ୍ରୋନ୍ ବ୍ୟବହାର କରିଥିଲା। ଆଜିକାଲି ଡ୍ରୋନ୍ ପୋଲିସ ସୁରକ୍ଷା ବ୍ୟବସ୍ଥାର ଏକ ଅଂଶ ପାଲଟିଛି।