ନୂଆଦିଲ୍ଲୀ: ଦୀର୍ଘ ୨୦ ଦିନରୁ ଉର୍ଦ୍ଧ୍ୱ ସମୟ ଧରି ପାକିସ୍ତାନ ରେଞ୍ଜର୍ସ କବଳରେ ରହିବା ପରେ ଭାରତ ଫେରିଛନ୍ତି ସୀମା ସୁରକ୍ଷା ବଳର ଯବାନ ପୂର୍ଣ୍ଣମ କୁମାର ଶ । କିନ୍ତୁ ଏହି ୨୧ ଦିନ ତାଙ୍କ ଏତେ ସହଜ ନ ଥିଲା । ନାଁ ପୂର୍ଣ୍ଣମଙ୍କୁ ଶୋଇବାକୁ ଅନୁମତି ଥିଲା ନା ଥିଲା ଦାନ୍ତ ଘୋଷିବାକୁ ଅନୁମତି ଥିଲା । ପାକ୍ ଅଧିକାରୀମାନେ ତାଙ୍କୁ ଏକ ଗୁପ୍ତଚରଭାବେ ବ୍ୟବହାର ଦେଖାଇଥିଲେ ବୋଲି ସ୍ୱଦେଶ ଫେରିବା ପରେ କହିଛନ୍ତି ବିଏସ୍ଏଫ୍ ଯବାନ ।
ପୂର୍ଣ୍ଣମ ଶ ଘରକୁ ଫେରିବା ପରେ ନିଜ ପତ୍ନୀ ରଜନୀଙ୍କ ଆଗରେ ଅଙ୍ଗେ ଲିଭା କାହାଣୀ ବଖାଣିଛନ୍ତି । ଏପ୍ରିଲ 23 ତାରିଖରେ ପାକିସ୍ତାନୀ ରେଞ୍ଜର୍ସ ପୂର୍ଣ୍ଣମଙ୍କୁ ଧରି ନେଇଥିଲେ । ଏହା ପରେ ତାଙ୍କ ହାତ ଗୋଡ଼ ବାନ୍ଧି ଏବଂ ଆଖିରେ ପଟି ବାନ୍ଧି ରଖାଯାଇଥିଲା । ଯାହାର ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଜଣେ ଗୁପ୍ତଚର ଭାବେ ପାକିସ୍ତାନୀ ଅଧିକାରୀ ବ୍ୟବହାର କରିଥିଲେ । ଶାରୀରିକ ନିର୍ଯ୍ୟାତନା ନ ଦେଇ ମାନସିକ ନିର୍ଯ୍ୟାତନା ଦିଆଯାଇଥିଲା । ତାଙ୍କର ବାରମ୍ବାର ସ୍ଥାନ ପରିବର୍ତ୍ତନ କରାଯାଉଥିଲା । ଏମିତିକି ରାତିରେ ଶୋଇବାକୁ ଅନୁମତି କିମ୍ବା ସକାଳେ ଦାନ୍ତ ଘଷିବାକୁ ମଧ୍ୟ ଅନୁମତି ଦିଆଯାଉନଥିଲା । ସେହିପରି ପ୍ରତ୍ୟେକ ରାତିରେ ତାଙ୍କୁ ଜେରା କରାଯାଉଥିଲା । ବାରମ୍ବାର ତାଙ୍କୁ ଭାରତର ସୁରକ୍ଷା ସମ୍ବନ୍ଧରେ ପ୍ରଶ୍ନ କରାଯାଉଥିଲା । ତାଙ୍କର ତିନୋଟି ସ୍ଥାନ ପରିବର୍ତ୍ତନ କରାଯାଇଥିଲା । ତେବେ ନିକଟରୁ ବିମାନ ଉଡ଼ିବାର ଶବ୍ଦ ଶୁଭୁଥିଲା । ତେଣୁ ଉକ୍ତ ସ୍ଥାନ ପାକିସ୍ତାନ ସେନାର ଏୟାରବେସ୍ ହୋଇଥିବା ସେ ଅନୁମାନ କରିଛନ୍ତି ।
ପତ୍ନୀ ରଜନୀ କହିଛନ୍ତି ଯେ ପୂର୍ଣ୍ଣମ ଯେବେ ଘରକୁ ଫେରିଥିଲେ, ସେତେବେଳେ ସେ ବହୁତ ଥକି ଯାଇଥିଲେ । ତାଙ୍କୁ କେବଳ ଖାଇବାକୁ ଦିଆଯାଉଥିଲା କିନ୍ତୁ କୌଣସି ବିଶ୍ରାମ ନେବାକୁ ଦିଆଯାଉନ ଥିଲା ବୋଲି ସେ କହିଛନ୍ତି ।
ଏହା ସହିତ ରଜନୀ କହିଛନ୍ତିବନମରନଲଲଲୱ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧନ୍ୟବାଦ ଜଣାଇଛନ୍ତି । ମୋଦୀ କେବଳ ଦେଶକୁ ଗର୍ବିତ କରୁନାହାଁନ୍ତି ବରଂ ସେ ପ୍ରତ୍ୟେକ ଭାରତୀୟ ନାରୀଙ୍କ ସିନ୍ଦୁରକୁ ସୁରକ୍ଷା ମଧ୍ୟ ଦେଉଛନ୍ତି । କେବଳ ତାଙ୍କ ପାଇଁ ମୋ ସିନ୍ଦୂର ସୁରକ୍ଷିତ ଅଛି ଏବଂ ମୋ ସ୍ୱାମୀ ଘରକୁ ଫେରିଛନ୍ତି ବୋଲି କହିଛନ୍ତି”।