ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁଚ୍ଛେଦ ୧୪୩(୧) ଆଧାରରେ ସୁପ୍ରିମକୋର୍ଟଙ୍କ ପରାମର୍ଶ ଲୋଡିଛନ୍ତି । ରାଷ୍ଟ୍ରପତି ଏହା ଜାଣିବାକୁ ଚାହିଁଛନ୍ତି ଯେ କଣ ରାଜ୍ୟ ବିଧାନସଭା ଦ୍ୱାରା ଗୃହୀତ ବିଧେୟକ ଉପରେ ନିର୍ଣ୍ଣୟ ନେବା ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳ ପାଇଁ ନିର୍ଦ୍ଧାରିତ ସମୟ ସୀମା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ସ୍ଥିର କରାଯାଇ ପାରିବ କି । ଏପ୍ରିଲ ୮ରେ ସୁପ୍ରିମକୋର୍ଟ ଐତିହାସିକ ନିଷ୍ପତ୍ତି ଦେଇ କହିଥିଲେ ଯେ, ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ପଠାଯାଇଥିବା ବିଧେୟକକୁ ରାଷ୍ଟ୍ରପତି ୩ ମାସ ଭିତରେ ମଞ୍ଜୁରୀ ଦେବେ । ଏହି ପ୍ରସଙ୍ଗକୁ ନେଇ ଦେଶର ରାଜନୀତି ବେଶ ସରଗରମ ରହିଛି । ପୁଣି ଥରେ ନ୍ୟାୟାପାଳିକା ଓ ବ୍ୟବସ୍ଥାପିକା ମୁହାଁମୁହିଁ ହୋଇଛନ୍ତି ।
କଣ ଏହି ଅନୁଚ୍ଛେଦ ୧୪୩(୧)
ସମ୍ବିଧାନର ଅନୁଚ୍ଛେଦ ୧୪୩(୧) ଆଧାରରେ ରାଷ୍ଟ୍ରପତି କୌଣସି ବି ଆଇନଗତ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପରାମର୍ଶ ଲୋଡି ପାରିବେ । ଏହି ରାୟ ବାଧ୍ୟବାଧକତା ନୁହେଁ । ମାତ୍ର ଏହାର ସାମ୍ବିଧାନିକ ମହତ୍ୱ ବେଶ ଅଧିକ ରହିଥାଏ । ରାଷ୍ଟ୍ରପତିଙ୍କୁ ପରାମର୍ଶ ସମ୍ବିଧାନର ଅନୁଚ୍ଛେଦ ୧୪୫(୩) ଆଧାରରେ ପାଞ୍ଚ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଦ୍ୱାରା ଦିଆଯାଏ? ଋାଷ୍ଟ୍ରପତି ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ ୧୪ ପ୍ରଶ୍ନ କରିଛନ୍ତି ଏବଂ ପରାମର୍ଶ ଲୋଡିଛନ୍ତି ।
ପୂର୍ବରୁ କଣ ରହିଛି ସୁପ୍ରିମକୋର୍ଟଙ୍କ ରେକର୍ଡ
ସୁପ୍ରିମକୋର୍ଟ ଏମିତି ଦୁଇ ଥର ରାଷ୍ଟ୍ରପତିଙ୍କ ଦ୍ୱାରା ଲୋଡା ଯାଇଥିବା ରାୟ ଉପରେ ଜବାବ ଦେବାକୁ ମନା କରି ଦେଇଥିଲେ । ୧୯୯୩ରେ ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦରେ ମନ୍ଦିରର ପୂର୍ବ ସ୍ଥିତି ଉପରେ ରାୟ ମାଙ୍ଗିଥିଲେ ରାଷ୍ଟ୍ରପତି । ଯାହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଧାର୍ମିକ ଓ ସାମ୍ବିଧାନିକ ମୂଲ୍ୟର ବିପରୀତ ଦର୍ଶାଇ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ । ଏହା ପୂର୍ବରୁ ୧୯୮୨ରେ ପାକିସ୍ତାନରୁ ଆସିଥିବା ପ୍ରବାସୀଙ୍କ ପୁନର୍ବାସ ସଂପର୍କିତ ଆଇନ ଉପରେ ରାୟ ମାଗିଥିଲେ ରାଷ୍ଟ୍ରପତି । ମାତ୍ର ପରେ ଆଇନ ଗୃହୀତ ହୋଇ ଯାଇଥିଲା ଏବଂ କୋର୍ଟରେ ଯାଚିକା ଦାୟର ହୋଇଗଲା । ଫଳରେ ରାୟ ଅପ୍ରାସଙ୍ଗିକ ହୋଇ ଯାଇଥିଲା ।
କଣ ରାଷ୍ଟ୍ରପତିଙ୍କ ନିର୍ଣ୍ଣୟକୁ ବଦଳା ଯାଉଛି ?
ସୁପ୍ରିମକୋର୍ଟ ପ୍ରଥମରୁ ସ୍ପଷ୍ଟ କରି ସାରିଛନ୍ତି ଯେ, ଅନୁଚ୍ଛେଦ ୧୪୩ର ଉପଯୋଗ ପୂର୍ବରୁ ଦିଆଯାଇଥିବା ନିର୍ଣ୍ଣୟର ସମୀକ୍ଷା କିମ୍ବା ବଦଳାଇବା ପାଇଁ କରାଯାଇ ପାରିବ ନାହିଁ । ୧୯୯୧ରେ କାବେରୀ ଜଳ ବିବାଦରେ କୋର୍ଟ କହିଥିଲ ଯେ, ନିର୍ଣ୍ଣୟ ଦେବା ପରେ ସେହି ବିଷୟରେ ରାଷ୍ଟ୍ରପତିଙ୍କ ରାୟ ମାଗିବା ନ୍ୟାୟପାଳିକାର ଗାରିମା ବିରୁଦ୍ଧ ଅଟେ । ଯଦି ସରକାର ଚାହିଁବେ ତେବେ ପୁନର୍ବିଚାର ଯାଚିକା କିମ୍ବା କ୍ୟୁରେଟିଭ ପିଟିସନ ଦାୟର କରି ପାରିବେ, ଯାହା ନ୍ୟାୟିକ ପ୍ରକ୍ରିୟାର ଅଂଶ ।
ପ୍ରଶ୍ନ ପଚାରିଲେ ରାଷ୍ଟ୍ରପତି ?
ଅଧିକାଂଶ ପ୍ରଶ୍ନ ଏପ୍ରିଲ ୮ର ନିଷ୍ପତ୍ତି ସହ ଜଡିତ, ମାତ୍ର ଅନ୍ତିମ କିଛି ପ୍ରଶ୍ନ ସୁପ୍ରିମକୋର୍ଟର ଶକ୍ତି ଉପରେ ପ୍ରଶ୍ନ କରାଯାଇଛି । ପ୍ରଶ୍ନ ୧୨ରେ ପଚରା ଯାଇଛି ଯେ, ସୁପ୍ରିମକୋର୍ଟକ ପ୍ରଥମେ ସ୍ଥିର କରିବା ଉଚିତ୍ ଯେ, କୌଣସି ମାମଲା ସମ୍ବିଧାନର ବ୍ୟାଖ୍ୟା ସହ ଜଡିତ କି ନାହିଁ, ଯଦ୍ୱାରା ଏହାକୁ ବୃତହ ପୀଠକୁ ପଠାଯାଇ ପାରିବ ? ଏହି ଧରଣର ପ୍ରଶ୍ନ ୧୩ରେ ବି ପଚରା ଯାଇଛି ଯେ, ସୁପ୍ରିମକୋର୍ଟଙ୍କ ଅନୁଚ୍ଛେଦ ୧୪୨(ପୂର୍ଣ୍ଣ ନ୍ୟାୟ କରିବାର ଶକ୍ତି)ର ପ୍ରୟୋଗ ସୀମା କଣ ଅଟେ ? ପ୍ରଶ୍ନ ୧୪ରେ ପଚରା ଯାଇଛି ଯେ, କେନ୍ଦ୍ର-ରାଜ୍ୟ ବିବାଦର ମୂଳ ଶୁଣାଣିର ଅଧିକାର କାହା ପାଖରେ ରହିଛି । କେବଳ ସୁପ୍ରିମକୋର୍ଟ ପାଖରେ ନା ଅନ୍ୟ ଅଦାଲତ ପାଖରେ ରହିଛି ?
ନ୍ୟାୟାପାଳିକା ବନାମ କାର୍ଯ୍ୟପାଳିକାର ଲଢେଇ
ଏହି ପୂରା ମାମଲା ସେହି ପରିସ୍ଥିତିରେ ଉତ୍ପନ ହୋଇଛି, ଯେବେ ରାଜ୍ୟପାଳ ବିରୋଧୀ ଦଳ ଶାସିତ ରାଜ୍ୟଗୁଡିକର ବିଧେୟକକୁ ପକାଇ ରଖିବା କିମ୍ବା ସିକୃତି ନ ଦେବା । ତାମିଲନାଡୁର ରାଜ୍ୟପାଳ ଆରଏନ ରବି ୧୦ ବିଧେୟକକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଥିଲେ । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହା କେନ୍ଦ୍ର-ରାଜ୍ୟ ସମ୍ବନ୍ଧରେ ସନ୍ତୁଳନର ପ୍ରସଙ୍ଗ ଅଟେ ଏବଂ ସମୟ ସୀମା ମଧ୍ୟରେ ସମାଧାନ ହେବା ଦରକାର । ରାଷ୍ଟ୍ରପତିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମିଳିବାରୁ ଏହା ସରକାରଙ୍କୁ ସମ୍ବିଧାନିକ ଅସନ୍ତୁଳନ ମନେ ହୋଇଛି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ଆଟର୍ଣ୍ଣିଂ ଜେନେରାଲ ଆର ଭେଙ୍କଟରମଣୀ ମଧ୍ୟ ଏହାକୁ କାର୍ଯ୍ୟପାଳିକାର ଗରିମା ବିରୋଧୀ ଦର୍ଶାଇଛନ୍ତି ।