ନୂଆଦିଲ୍ଲୀ: ଭାରତରୁ ଗିରଫ ହେଲେ ପାକିସ୍ତାନୀ ଗୁପ୍ତଚର । ହରିୟାଣାର ହିସାରରୁ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରିଛି ହରିୟାଣା ପୋଲିସ । ଜ୍ୟୋତିଙ୍କୁ ଭାରତର ଗୁପ୍ତ କଥା ପାକିସ୍ତାନ ପଠାଇବା ଅଭିଯୋଗରେ ଗିରଫ କରାଯାଇଛି । ସେ 'ଟ୍ରାଭେଲ ୱିଥ୍ ଜୋ' ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଳାନ୍ତି।
ପୋଲିସ ସୂଚନା ଅନୁସାରେ, ୨୦୨୩ ମସିହାରେ ଜ୍ୟୋତି ତାଙ୍କ ଟ୍ରାଭେଲ ଚ୍ୟାନେଲ 'ଟ୍ରାଭେଲ ୱିଥ୍ ଜୋ'ର ସୁଟିଂ ପାଇଁ ପାକିସ୍ତାନ ଯାଇଥିଲେ। ଏହି ସମୟରେ ସେ ପାକିସ୍ତାନ ହାଇକମିଶନକୁ ମଧ୍ୟ ଯାଇଥିଲେ। ଯେଉଁଠାରେ ସେ ପାକିସ୍ତାନର ଅନେକ ଉଚ୍ଚ ପଦାଧିକାରୀଙ୍କୁ ଭେଟିଥିଲେ। ଏଠାରେ ତାଙ୍କର ସାକ୍ଷାତ ଅହସାନ ଉର ରହିମ ଓରଫ ଦାନିଶଙ୍କ ସହିତ ହୋଇଥିଲା। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ଆଉ ଏହାପରେ ଜ୍ୟୋତି ପାକିସ୍ଥାନକୁ ଦୁଇ ଥର ଯାଇଥିଲେ ।
ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ପରାମର୍ଶରେ, ଜ୍ୟୋତି ପାକିସ୍ତାନରେ ଥିବା ISI ଅଧିକାରୀଙ୍କ ସମ୍ପର୍କରେ ଆସିଥିଲେ ଏବଂ ସେବେଠାରୁ ସେ ଲଗାତାର ପାକିସ୍ତାନକୁ ଭାରତ ବିରୋଧୀ ସୂଚନା ପଠାଉଥିଲେ। ସେ ଭାରତର ସାମରିକ ଅପରେସନ୍ ସିନ୍ଦୂର ସମେତ ସେନା ସହ ଜଡିତ ଅନେକ ଗୁପ୍ତ ସୂଚନା ପାକିସ୍ତାନକୁ ପଠାଉଥିଲେ।
ତେବେ ପୋଲିସ ଦାନିଶଙ୍କ ସଂସ୍ପର୍ଶରେ ଥିବା ପଞ୍ଜାବ ଏବଂ ହରିୟାଣାରୁ ଜ୍ୟାୋତିଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରିଛନ୍ତି । ଦାନିଶ ଭିସା ଏବଂ ଟଙ୍କା ବାହାନାରେ ଏହି ଲୋକମାନଙ୍କୁ ଫସାଇଥିଲା। ଜ୍ୟୋତି ମାଲହୋତ୍ରା ଭାରତର ଅନେକ ଗୁପ୍ତ ସୂଚନା ପାକିସ୍ତାନକୁ ପଠାଇଥିଲେ। ପଚରାଉଚରା ସମୟରେ ଜ୍ୟୋତି ସ୍ୱୀକାର କରିଥିଲେ ଯେ ସେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହିତ ସମ୍ପର୍କରେ ଥିଲେ, ଏବଂ ଗିରଫ ପରେ, ପୋଲିସ ଶନିବାର ଜ୍ୟୋତିଙ୍କୁ କୋର୍ଟରେ ହାଜର କରିବ । ସେହିପରି ପାନିପଥରୁ ଜଣେ ଛାତ୍ର ଦେବେନ୍ଦ୍ର ସିଂ ଢିଲୋନ୍ ଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ତାଙ୍କ ବିରୋଧରେ ସମାନ ଅଭିଯୋଗ ରହିଛି । ସେନା ବେସ୍ ଫଟୋ, ଭିଡିଓ ସେ ପାକିସ୍ତାନକୁ ଦେଇଥିଲେ । ଗତବର୍ଷ କରତାରପୁର୍ କରିଡର୍ ଯିବା ବାହାନାରେ ପାକିସ୍ତାନ ଯାଇଥିଲେ ଦେବେନ୍ଦ୍ର ।