ସାରା ବିଶ୍ୱରେ ଭାଲୁମାନଙ୍କର ଅନେକ ବଂଶ ମାଂସଠାରୁ ଦୂରେଇ ଯାଇ ଗଛଲତା ଆଧାରିତ ଖାଦ୍ୟ ଆଡ଼କୁ ଗତି କରୁଛନ୍ତି। କେଉଁଠି ଚିଡ଼ିଆଖାନାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ବ୍ରାଉନ୍ ବିୟର (ବାଦାମୀ ଭାଲୁ) ମାନେ ଜମାଟ ବାନ୍ଧିଥିବା ଫଳ ଖାଉଥିବାର ଦେଖାଯାଇଛି ତ କେଉଁଠି ଘାସ ଖାଉଥିବାର ନଜର ଆସିଛନ୍ତି। ବୈଜ୍ଞାନିକମାନେ ଏହାକୁ 'ଟ୍ରଫିକ୍ ରିୱାୟରିଂ' (Trophic Rewiring) କହୁଛନ୍ତି। ଏହା ସେହି ବିଚାର ଉପରେ ଆଧାରିତ ଯେ, ଏକ ବଡ଼ ସର୍ବଭକ୍ଷୀ ଜୀବ ପରିବେଶରେ ଉପଲବ୍ଧ ସମ୍ବଳ ଅନୁଯାୟୀ ନିଜର ପାରିସ୍ଥିତିକ ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ପାରିବ।
ଯେତେବେଳେ ଆପଣ ଭାଲୁ ବିଷୟରେ ଚିନ୍ତା କରନ୍ତି, ହୁଏତ ଆପଣଙ୍କ ମନରେ ଏକ ଶକ୍ତିଶାଳୀ ଶିକାରୀର ଛବି ଆସେ। ଭାଲୁ କଥା ଭାବିବା ମାତ୍ରେ ମନକୁ ଏକ କେଶଭରା, ଉଚ୍ଚା ଜୀବର ଛବି ଆସେ ଯିଏ ନଦୀରୁ ସାଲମନ୍ ମାଛ ଝାମ୍ପି ନେଉଛି କିମ୍ବା ବିଶାଳ ପଡ଼ିଆରେ ନିଜ ଶିକାର ପଛରେ ଦୌଡୁଛି। କିନ୍ତୁ ଏକ ନୂଆ ଆନ୍ତର୍ଜାତୀୟ ଅଧ୍ୟୟନ ଏହି ଛବିକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି।
ଯେମିତି ଯେମିତି ତାପମାତ୍ରା ବଢ଼ୁଛି ଏବଂ ଗଛଲତା ବଢ଼ିବାର ଋତୁ (Growing Season) ଲମ୍ବା ହେଉଛି, ସାରା ବିଶ୍ୱରେ ଭାଲୁଙ୍କର ଅନେକ ଜନସଂଖ୍ୟା ମାଂସଠାରୁ ଦୂରେଇ ଯାଇ ଉଦ୍ଭିଦ ଆଧାରିତ ଖାଦ୍ୟ ଆଡ଼କୁ ମୁହାଁଉଛନ୍ତି। ବୈଜ୍ଞାନିକମାନେ ଏହାକୁ 'ଟ୍ରଫିକ୍ ରିୱାୟରିଂ' କହୁଛନ୍ତି।
ଭାଲୁମାନେ ଯେଉଁଠି ରହନ୍ତି, ସେହି ଅନୁସାରେ ଅଲଗା ଅଲଗା ଜିନିଷ ଖାଆନ୍ତି। କୋଳି, ଚେର, ଘାସ ଏବଂ ମଞ୍ଜି ବା ବାଦାମ ସେମାନଙ୍କ ଖାଦ୍ୟର ଏକ ବଡ଼ ଅଂଶ ହୋଇପାରେ, କିନ୍ତୁ ସେମାନେ ମାଛ, ପୋକ ଏବଂ ଛୋଟ ସ୍ତନ୍ୟପାୟୀ ପ୍ରାଣୀ ମଧ୍ୟ ଖାଆନ୍ତି। ଅଞ୍ଚଳ ଏବଂ ଋତୁ ଅନୁସାରେ ଏହି ସନ୍ତୁଳନ ବଦଳୁଥାଏ ଏବଂ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ ଜଳବାୟୁ ସହିତ ସେମାନଙ୍କର ଖାଦ୍ୟ ମଧ୍ୟ ବଦଳିପାରେ। ଏହି ସମ୍ପୂର୍ଣ୍ଣ ବିଷୟକୁ ବୁଝିବା ପାଇଁ ଗବେଷକମାନେ ବିଶ୍ୱର ସାତଟି ଭାଲୁ ପ୍ରଜାତି ଉପରେ ଆଧାରିତ ୧୫୫ଟି ଅଧ୍ୟୟନରୁ ୨୧୦ଟି ଖାଦ୍ୟ ରେକର୍ଡ ସଂଗ୍ରହ କରିଛନ୍ତି। ସେମାନଙ୍କୁ ଏକ ସମାନ ଢାଞ୍ଚା ଦେଖିବାକୁ ମିଳିଛି।
ଗବେଷକମାନେ ଦେଖିଲେ ଯେ କମ୍ 'ଗ୍ରୋଇଂ ସିଜିନ୍' ଥିବା ଇକୋସିଷ୍ଟମରେ ଭାଲୁ ଅଧିକ ପ୍ରାଣୀ ଶିକାର କରୁଥିଲେ, ଯେଉଁଠି ଗ୍ରୋଇଂ ସିଜିନ୍ ଲମ୍ବା ଏବଂ ଗରମ ହୋଇଥାଏ, ସେଠାରେ ଭାଲୁ ଗଛଲତା ଉପରେ ଅଧିକ ନିର୍ଭର କରୁଥିଲେ। 'ଗ୍ରୋଇଂ ସିଜିନ୍' ସେହି ମାସଗୁଡ଼ିକର ସଂଖ୍ୟାକୁ କୁହାଯାଏ ଯେତେବେଳେ ହାରାହାରି ତାପମାତ୍ରା 0°C ରୁ ଉପରେ ରହେ। ଜୀବାଶ୍ମ ରେକର୍ଡ ମଧ୍ୟ ଏହାକୁ ନିଶ୍ଚିତ କରିଛି। 'ନେଚର କମ୍ୟୁନିକେସନ୍ସ' ରେ ପ୍ରକାଶିତ ଏହି ଗବେଷଣାରେ ଗତ ପ୍ରାୟ ୫୫ ହଜାର ବର୍ଷର ଜୀବାଶ୍ମ ପ୍ରମାଣ ସହିତ ଆଧୁନିକ ଖାଦ୍ୟ ରେକର୍ଡକୁ ମିଶାଯାଇଛି।
ୟୁରୋପରୁ ସଂଗୃହିତ ୨୧୯ ବ୍ରାଉନ୍ ବିୟର ଏବଂ ୩୭୨ ଲାଲ୍ ହରିଣଙ୍କ ହାଡ଼ର କୋଲାଜେନ୍ର ରାସାୟନିକ ବିଶ୍ଳେଷଣ କରି ବୈଜ୍ଞାନିକମାନେ ହଜାର ହଜାର ବର୍ଷର ଭାଲୁଙ୍କ ଖାଦ୍ୟର ପୁନର୍ଗଠନ କରିଛନ୍ତି। ଗତ ହିମ ଯୁଗ (Ice Age) ସମୟରେ ଭାଲୁ ଅଧିକ ପ୍ରାଣୀ ଶିକାର କରୁଥିଲେ। ପ୍ରାୟ ୧୨ ହଜାର ବର୍ଷ ପୂର୍ବେ ଯେତେବେଳେ ଗ୍ଲେସିୟର ପଛକୁ ହଟିବାକୁ ଲାଗିଲା ଏବଂ ପ୍ରଚୁର ପରିମାଣରେ ବନସ୍ପତି ଉପଲବ୍ଧ ହେଲା, ବାଦାମୀ ଭାଲୁମାନେ ଧୀରେ ଧୀରେ ଗଛଲତା ଆଧାରିତ ଖାଦ୍ୟ ଆଡ଼କୁ ବଢ଼ିଲେ।
ଏକ ଭାଲୁର ଅଧିକ ଗଛଲତା ଖାଇବା କେବଳ ଏକ ସାଧାରଣ ଘଟଣା ନୁହେଁ, ବରଂ ଏହା ଏକ ବଡ଼ ପରିଣାମ ଆଡ଼କୁ ଇସାରା କରୁଛି। ଭାଲୁ ସମ୍ପୂର୍ଣ୍ଣ ଇକୋସିଷ୍ଟମକୁ ପ୍ରଭାବିତ କରନ୍ତି। ଏହି ଶିକାରୀମାନେ ମଞ୍ଜି ବିସ୍ତାର କରନ୍ତି, ପୋଷକ ତତ୍ତ୍ୱ ଚକ୍ରକୁ ବଜାୟ ରଖନ୍ତି ଏବଂ ଶିକାରର ଜନସଂଖ୍ୟାକୁ ନିୟନ୍ତ୍ରଣରେ ରଖନ୍ତି। ଯେତେବେଳେ ସେମାନେ ଶିକାର କମାଇ ଦିଅନ୍ତି ଏବଂ ଅଧିକ ଶାକାହାରୀ ଖାଦ୍ୟ ଖାଆନ୍ତି, ଏହାର ପ୍ରଭାବ ସମ୍ପୂର୍ଣ୍ଣ ଫୁଡ୍ ସିଷ୍ଟମ୍ ଉପରେ ପଡ଼ିଥାଏ।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ଯେମିତି ଯେମିତି ଗଛ ବଢ଼ିବାର ସମୟ ବଢୁଛି, ଭାଲୁ ମଧ୍ୟ ପ୍ରାଣୀ ଶିକାରଠାରୁ ଦୂରେଇ ଯାଇପାରନ୍ତି। କିନ୍ତୁ ଯଦି ଜମି ବ୍ୟବହାରର ଚାପ, ଯେପରିକି ଜଙ୍ଗଲ ଅଞ୍ଚଳରେ କୃଷିର ସମ୍ପ୍ରସାରଣ, ପ୍ରାକୃତିକ ଗଛଲତାର ଉପଲବ୍ଧତାକୁ କମାଇଦିଏ, ତେବେ ଭାଲୁ ଏହା ବଦଳରେ ଗୃହପାଳିତ ପଶୁ କିମ୍ବା ଫସଲ ଆଡ଼କୁ ମୁହାଁଇ ପାରନ୍ତି। ଏହାଦ୍ୱାରା ଚାଷୀ ଏବଂ ଗ୍ରାମୀଣ ସମ୍ପ୍ରଦାୟ ସହ ସଂଘର୍ଷର ସମ୍ଭାବନା ବଢ଼ିଯିବ। ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର ଏବଂ ଉତ୍ତର-ପୂର୍ବର କିଛି ଅଂଶରେ ମଣିଷ-ଭାଲୁ ସଂଘର୍ଷ ଏକ ନିରନ୍ତର ଆହ୍ୱାନ ହୋଇ ରହିଛି।
ଗବେଷକମାନେ ପରାମର୍ଶ ଦେଇଛନ୍ତି ଯେ ସମୟ ସହିତ ଭାଲୁଙ୍କ ଖାଦ୍ୟ ଉପରେ ନଜର ରଖିବା ବ୍ୟାପକ ଇକୋସିଷ୍ଟମର ପରିବର୍ତ୍ତନ ପାଇଁ ଏକ 'ଅର୍ଲି ୱାର୍ଣ୍ଣିଂ ସିଷ୍ଟମ୍' (Early Warning System) ଭାବେ କାମ କରିପାରେ। ଭାଲୁଙ୍କ ମେନୁ ହିଁ ଏହି କଥାର ପ୍ରଥମ ସଙ୍କେତ ହୋଇପାରେ ଯେ ସମ୍ପୂର୍ଣ୍ଣ ବ୍ୟବସ୍ଥା ପୁଣି ଏକ ନୂଆ ରୂପ ନେଉଛି।