କଂଗ୍ରେସର ଦୁଇ ମହିଳା କାଉନସିଲରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଉଭୟ କାଉନସିଲର ‘ବନ୍ଦେ ମାତରମ୍’ ଗାଇବାକୁ ମନା କରିଦେଇଥିଲେ। ଏହି କାଉନସିଲରଙ୍କ ନାମ ରୁବିନା ଇକବାଲ୍ ଖାନ୍ ଏବଂ ଫୌଜିଆ ଶେଖ୍ ଅଲିମ୍। ସମ୍ପୂର୍ଣ୍ଣ ତଦନ୍ତ ପରେ ଉଭୟଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହେବାରୁ ଧାରା ୧୯୬/୧ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ମଧ୍ୟପ୍ରଦେଶର ଇନ୍ଦୋରରେ ଏହି ଘଟଣା ଘଟିଛି। ରାଷ୍ଟ୍ରଗୀତ ‘ବନ୍ଦେ ମାତରମ୍’ ନ ଗାଇବାରୁ ଏମଜି ରୋଡ୍ ଥାନାରେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ, ନଗର ନିଗମର ବଜେଟ୍ ଅଧିବେଶନ ଚାଲିଥିବା ସମୟରେ ରୁବିନା ଇକବାଲ୍ ଖାନ୍ ଏବଂ ଫୌଜିଆ ଶେଖ୍ ଅଲିମ୍ ବନ୍ଦେ ମାତରମ୍ ଗାଇବାକୁ ମନା କରିଥିଲେ, ଯାହାକୁ ନେଇ ପ୍ରବଳ ହଙ୍ଗାମା ହୋଇଥିଲା। ବିଜେପି କାଉନସିଲରମାନେ ସମ୍ଭାଗାୟୁକ୍ତ ଏବଂ ପୋଲିସ ପାଖରେ ଆବେଦନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୋଲିସ ତଦନ୍ତ କରିବା ସହ ଉଭୟଙ୍କୁ ପଚରାଉଚରା କରିବା ପରେ ଏହି ମାମଲା ରୁଜୁ କରିଛି।
ଦିନକ ପାଇଁ ହୋଇଥିଲେ ନିଲମ୍ବିତ
ହଙ୍ଗାମା ମଧ୍ୟରେ ସ୍ପିକର ଅଲିମ୍ଙ୍କୁ ସଦନରୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ବନ୍ଦେ ମାତରମ୍ ଗୀତର ୧୫୦ ବର୍ଷ ପୂରଣ ହୋଇସାରିଛି ଏବଂ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହା ସମସ୍ତ ସରକାରୀ କାର୍ଯ୍ୟାଳୟରେ ଗାନ କରାଯିବା ଉଚିତ। କଂଗ୍ରେସ କାଉନସିଲର ଫୌଜିଆ ଶେଖ୍ ଅଲିମ୍ ବନ୍ଦେ ମାତରମ୍ ଗାନ ସମୟରେ ଅନୁପସ୍ଥିତ ଥିଲେ ଏବଂ ପରେ ସଦନକୁ ଆସି କାର୍ଯ୍ୟଧାରାରେ ବାଧା ସୃଷ୍ଟି କରିଥିଲେ। ଏହି ଗୀତ ବିଷୟରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା କାରଣରୁ ତାଙ୍କୁ ଦିନକ ପାଇଁ ସଦନରୁ ବହିଷ୍କାର କରାଯାଇଥିଲା।
କ’ଣ କହିଲେ ଅଲିମ୍?
ଅନ୍ୟପଟେ ଅଲିମ୍ ନିଜ ପକ୍ଷ ରଖି କହିଛନ୍ତି ଯେ, ତାଙ୍କ ଧର୍ମ ତାଙ୍କୁ ‘ବନ୍ଦେ ମାତରମ୍’ ଗାଇବାକୁ ଅନୁମତି ଦିଏ ନାହିଁ। ସେ ଜୋର ଦେଇ କହିଛନ୍ତି ଯେ ସମ୍ବିଧାନ ତାଙ୍କୁ ଧାର୍ମିକ ସ୍ୱାଧୀନତାର ଗ୍ୟାରେଣ୍ଟି ଦେଇଛି ଏବଂ କେହି ମଧ୍ୟ ତାଙ୍କୁ ଏହା ଗାଇବା ପାଇଁ ବାଧ୍ୟ କରିପାରିବେ ନାହିଁ।