ଝାରସୁଗୁଡ଼ା: ଏକ ଦୁଷ୍କର୍ମ ମାମଲାରେ ଦୁଇ ମାସ ଭିତରେ ରାୟ ଶୁଣାଇଛନ୍ତି ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜର ସ୍ୱତନ୍ତ୍ର ପୋକ୍ସୋ ଅଦାଲତ । ଅଭିଯୋଗ ଆସିବାର ମାତ୍ର ୫୫ ଦିନରେ ରାୟ ଶୁଣାଇଛନ୍ତି ବିଚାରପତି ପୂଜା ଷଡ଼ଙ୍ଗୀ । ଅଭିଯୁକ୍ତ ଅଜିତ ନାଗକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କାର ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।
ଗତ ମାର୍ଚ୍ଚ ୨୩ ତାରିଖରେ ନାବାଳକାକୁ ଦୁଷ୍କର୍ମ କରିବା ନେଇ ବ୍ରଜରାଜନଗର ଥାନାରେ ମାମଲା ରୁଜୁ ହୋଇଥିଲା। ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ହୋଇଥିଲା । ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଏପ୍ରିଲ ୧୯ ତାରିଖରୁ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ଘଟଣାର ୧୫ ଦିନରେ ଏପ୍ରିଲ ୮ ତାରିଖରେ ତଦନ୍ତର ଚାର୍ଜସିଟ ଦାଖଲ କରିଥିଲା ପୋଲିସ । ଅନ୍ୟ ଜଣେ ନାବାଳକ ସହିତ ମଧ୍ୟ ଏପରି ଯୌନ ସମ୍ପର୍କ ପୂର୍ବରୁ ସ୍ଥାପନ କରିଥିବା ନେଇ ମାମଲାରେ ଉଲ୍ଲେଖ କରିଛି ପୋଲିସ । ପୋକ୍ସୋ କୋର୍ଟ ବିଚାରପତି ପୂଜା ଷଡ଼ଙ୍ଗୀ ମାମଲାରେ ୨୭ ଜଣଙ୍କ ସାକ୍ଷ୍ୟ ଏବଂ ବିଭିନ୍ନ ପ୍ରମାଣ ଆଧାରରେ ରାୟ ଶୁଣାଇଛନ୍ତି । ଅଭିଯୁକ୍ତକୁ ୨୫ ବର୍ଷ ଆଜୀବନ କାରାଦଣ୍ଡ ସହିତ ଜରିମାନ ଶୁଣାଇଛନ୍ତି । ଯଦି ୧୦ ହଜାର ଟଙ୍କା ନ ଦେଇ ପାରିଲେ ଆଉ ଏକ ବର୍ଷ କାରଦଣ୍ଡ ଅବଧି ବଢ଼ିବ । ସେହିପରି ଦୁଇ ଜଣ ପୀଡ଼ିତଙ୍କୁ ୮ ଲକ୍ଷ ଲେଖାଏଁ କ୍ଷତି ପୂରଣ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ମାର୍ଚ୍ଚ ୨୧ ତାରିଖରେ ଅଭିଯୁକ୍ତ ଜଣକ ନାବାଳକକୁ ଏକ ବାଇକରେ ନିଛାଟିଆ ସ୍ଥାନକୁ ନେଇଥିଲା । ସେଠାରେ ଅଭିଯୁକ୍ତ ପୀଡ଼ିତ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା । ଏ ନେଇ ପୀଡ଼ିତର ପରିବାର ଜାଣିବା ପରେ ମାର୍ଚ୍ଚ ୨୩ ରେ ବ୍ରଜରାଜନଗର ଥାନାରେ ଏତଲା ଦେଇଥିଲେ ।