ପୁଣି ଇସ୍କନର ମନମୁଖୀ କାର୍ଯ୍ୟକଳାପକୁ ନେଇ ତେଜିଲା ବିବାଦ । ଆସନ୍ତାକାଲି ଲଣ୍ଡନ ଚେମ୍ସଫୋର୍ଡରେ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ଇସ୍କନ ଅନୁଗାମୀ ଓ ଜଗନ୍ନାଥ ପ୍ରେମୀ ଯୋଗ ଦେବା ପାଇଁ ଅନଲାଇନ ମାଧ୍ୟମରେ ଇସ୍କନ ସୂଚନା ଜାରିକରିଛି । ୟୁଟ୍ୟୁବର ଗୋବିନ୍ଦ କ୍ରିଷ୍ଣ ଦାସ ମଧ୍ୟ ସ୍ୱତନ୍ତ୍ର ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ରହିଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, କୀର୍ତ୍ତନ, ଯୋଗ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ । ତେବେ ଏହାକୁ ନେଇ ପୁରୀରେ ଜଗନ୍ନାଥ ପ୍ରେମୀଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଇସ୍କନ ଏପରି ବାରମ୍ବାର ନିୟମ ବାହାରେ କାର୍ଯ୍ୟ କରୁଥିବାକୁ ସେବାୟତ ଓ ଜଗନ୍ନାଥ ପ୍ରେମୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି l ପୁରୀରେ ମହାପ୍ରଭୁଙ୍କର ପରମ୍ପରା ଅନୁଯାୟୀ ରଥଯାତ୍ରା ହେଉଛି ଏହାକୁ ସମସ୍ତେ ମାନିବା ଆବଶ୍ୟକ l ରାଜ୍ୟ ଓ କେନ୍ଦ୍ର ସରକାର ହସ୍ତକ୍ଷେପ କରି ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି ହେଉଛି l
ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଇସ୍କନ ଏପରି କରିଛି l ତେବେ ବାରମ୍ବାର ଇସ୍କନ ପକ୍ଷରୁ ଏଭଳି ଅଦିନିଆ ରଥଯାତ୍ରା ଆୟୋଜନ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଧର୍ମୀୟ ଭାବନା ପ୍ରତି କୁଠାରଘାତ କରିଛି । ଏପରିକି ଇସ୍କନ ପକ୍ଷରୁ ରଥାରୁଢ଼ ଶ୍ରୀଜିଉଙ୍କର ଫଟୋ ଭୁଲ୍ ଜାରି ହୋଇଛି। ବଳଭଦ୍ରଙ୍କ ତାଳଧ୍ବଜରେ ଶ୍ରୀଜଗନ୍ନାଥଙ୍କ ଫଟୋ ରହିଥିବା ବେଳେ ସୁଭଦ୍ରାଙ୍କ ଦର୍ପଦଳନରେ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷରେ ଦେବୀ ସୁଭଦ୍ରାଙ୍କ ଫଟୋ ରହିଛି। ତେବେ ଏନେଇ ଇସ୍କନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ମାଦଳା ପାଞ୍ଜି ଓ ବାମଦେବ ସଂହିତାରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତିର ବିସ୍ତୃତ ବର୍ଣ୍ଣନା ରହିଛି ।ରଥଯାତ୍ରାକୁ ନେଇ ମଧ୍ୟ ସ୍ବତନ୍ତ୍ର ବିଧି ପରମ୍ପରା ରହିଛି । ଶାସ୍ତ୍ରୀୟ ବିଧି ଅନୁଯାୟୀ ଆଶାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା ଓ ଜ୍ୟେଷ୍ଠ ମାସ ପୂର୍ଣ୍ଣିମାରେ ସ୍ନାନ ଯାତ୍ରା ହୋଇପାରିବ । ତେବେ ଯେଉଁଠି ମୂଳପୀଠର ଆଧାରରେ ବିଶ୍ଵବ୍ୟାପୀ ରଥଯାତ୍ରା ହେବା କଥା, ଇସ୍କନ କିନ୍ତୁ ଏହାର ବାରମ୍ବାର ବ୍ୟତିକ୍ରମ କରୁଛି ।ପୁଣି ଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରାକୁ ଭାଙ୍ଗିବାକୁ ଅପଚେଷ୍ଟା କରାଯାଉଛି।