ଭୁବନେଶ୍ୱର: ବିଜୁ ଜନତା ଦଳରେ ଦିନକୁ ଦିନକୁ ଅସନ୍ତୋଷ ସଦସ୍ୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଜେଡ଼ି କମିଟି ଓ ପିଏସିରୁ ବାଦ ପଡ଼ିବା ପରେ ବରିଷ୍ଠ ନେତା ଭୂପିନ୍ଦର ସିଂ ମୁହଁ ଖୋଲିଛନ୍ତି । ଦଳ ବିରୁଦ୍ଧରେ ବିସ୍ଫୋରକ ବୟାନ ଦେଇଛନ୍ତି ଭୂପିନ୍ଦର । ବିଜେଡ଼ିରେ କିଛି ଢାଞ୍ଚାଗତ ପରିବର୍ତ୍ତନ ହୋଇ ନାହିଁ । ଯଦି ଏହା ଉପରେ ବିଚାର କରାନଯାଏ ଆଗକୁ ଦଳ ପାଇଁ ଠିକ୍ ହେବନି । ଅନ୍ୟ ପକ୍ଷରେ ଏବେ ଆଇପିଏଲ୍ ଚାଲିଛି, ଭଲ ଖେଳାଳୀଙ୍କୁ ସମସ୍ତେ ନେବାକୁ ଚାହିଁବେ ବୋଲି କହିଛନ୍ତି ଭୂପିନ୍ଦର ।
ଭୂପିନ୍ଦର ସିଂ ଶନିବାର ପ୍ରତିକ୍ରିୟା ରଖି କହିଛନ୍ତି, ସେ କାହିଁକି ବିଜେଡ଼ି କମିଟି ଓ ପିଏସିରୁ ବାଦ୍ ପଡ଼ିଲେ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନେ ଜାଣିଥିବେ । ମୁଁ ସବୁବେଳେ ଖୁସି, ଲୋକଙ୍କ ଆଶୀର୍ବାଦ ସବୁବେଳେ ମୋ ପାଖେ ଅଛି ବୋଲି କହିଛନ୍ତି । ମୁନା ଖାନ୍ ନିଜ ପଦକୁ ନେଇ ଖୁସିନାହାନ୍ତି ବୋଲି ମିଡିଆରୁ ଶୁଣିଲି । ଆହୁରି ବି ନେତା ପଦ ପାଇଲା ପରେ ବି ଅସନ୍ତୁଷ୍ଟ ଥିବା ତାଙ୍କ ପାଖରେ ଖବର ଅଛି । ତେବେ ଏହାରି ମଧ୍ୟରେ ଭୂପିନ୍ଦର ଦଳର ଭବିଷ୍ୟତକୁ ନେଇ ପୂର୍ବାନୁମାନ କରିଛନ୍ତି । ବିଜେଡିରେ ବିଶେଷ କିଛି ଢାଞ୍ଚାଗତ ପରିବର୍ତ୍ତନ ହୋଇନଥିବା ଲୋକଙ୍କ ମଧ୍ୟରେ ଧାରଣା ସୃଷ୍ଟି ହୋଇଛି । ଯଦି ଏହା ଉପରେ ବିଚାର ନ କରାଯାଏ ଆଗକୁ ଦଳ ପାଇଁ ଠିକ୍ ହେବନି ବୋଲି ଚେତାବନୀ ଦେଇଛି ଭୂପିନ୍ଦର ।
ସେହିପରି ବିଜେଡ଼ି ଗୋଟିଏ ଦୃଢ଼ ବିରୋଧୀ ଦଳ ହୋଇପାରୁନି ବୋଲି ଲୋକଙ୍କ ଭିତରେ ଚର୍ଚ୍ଚା ହେଉଥିବା କହିଛନ୍ତି ଭୂପିନ୍ଦର । ବିଜେପି ସାଙ୍ଗରେ ବିଜେଡି ସବୁବେଳେ ସଫ୍ଟଲାଇନ୍ରେ ରୁହେ । ସାଧାରଣ ନିର୍ବାଚନରେ ବିଜେପିକୁ ସାହାଯ୍ୟ ବିଜେଡି କରିଥିବା ଚର୍ଚ୍ଚା ହେଉଛି । ଚର୍ଚ୍ଚାକୁ ଯଦି ଆମେ ମିଛ ଭାବିବା ତା ହେଲେ ଫଳ କିଛି ମିଳିବନି ବୋଲି କୁହାଯାଉଛି ।
ଅନ୍ୟପକ୍ଷରେ ଭୂପିନ୍ଦର ଅନ୍ୟ ଦଳ ମୁହାଁ ହେଉଥିବା ତାଙ୍କ ବୟାନରୁ ଅନୁମାନ କରାଯାଉଛି । ଭଲ ଖେଳାଳୀଙ୍କୁ ସବୁବେଳେ ସବୁବେଳେ ନେବାକୁ ଇଚ୍ଛୁକ ଥିବା ସେ କହିଛନ୍ତି । ବର୍ତ୍ତମାନ ଜାରି ରହିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଇପିଏଲର ସେ ଉଦାହରଣ ଦେଇଛନ୍ତି । ସେ ନିଜକୁ ଜଣେ ଭଲ ଖେଳାଳୀ ବୋଲି କହିଛନ୍ତି । ଏବେ ଆଇପିଏଲ୍ ଚାଲିଛି, ଭଲ ଖେଳାଳୀଙ୍କୁ ସମସ୍ତେ ନେବାକୁ ଚାହିଁବେ । ତାଙ୍କ ପାଖରେ ସମର୍ଥନ ଅଛି । ୨୦୨୪ ନିର୍ବାଚନରେ ବିଜେପି ପ୍ରସ୍ତାବ ଦେଇଥିବାବେଳେ ଏବେ କଂଗ୍ରେସକୁ ଘର ବାହୁଡ଼ା ପାଇଁ ମଧ୍ୟ ପ୍ରସ୍ତାବ ଆସିଥିବା ସେ କହିଛନ୍ତି । ତେବେ ଦଳ ପରିବର୍ତ୍ତନ କରିବେ କି ନାହିଁ ସେ ନେଇ ଭୂପିନ୍ଦର ସ୍ପଷ୍ଟ କରି ନାହାଁନ୍ତି ।