ପୁରୀ: ଆଗାମୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ସହ ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ମରାମତିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବାବେଳେ ଏଥିରେ ଶ୍ରୀମନ୍ଦିର ପ୍ରଶାସନ ବୈଷୟିକ କୋର କମିଟି ସଦସ୍ୟ ଏନ୍ ସି ପାଲଙ୍କ ସମେତ ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
ତେବେ ପୂର୍ବ ନିଷ୍ପତି ଅନୁଯାୟୀ ଏପ୍ରିଲ ୨୯ ରୁ ଜୁନ୍ ୨୭ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିଛି।ତେବେ ଏହି ସମୟ ମଧ୍ୟରେ ବାହାର ରତ୍ନଭଣ୍ଡାରର ବାକି ଥିବା ଅନ୍ୟାନ୍ୟ କାର୍ଯ୍ୟ ଶେଷ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ରଥଯାତ୍ରା ପରଦିନ ଅର୍ଥାତ ଜୁନ୍ ୨୮ ତାରିଖ ଠାରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଭିତର ରତ୍ନଭଣ୍ଡାରର ବାକି ରହିଥିବା ସମସ୍ତ ମରାମତି କାର୍ଯ୍ୟ ଶେଷ କରିବା ନେଇ ନିଷ୍ପତ୍ତି ନିଆଯାଇଛି ।
ବାକି ରହିଥିବା ଚଟାଣ କାର୍ଯ୍ୟ କରାଯିବା ସହ ବାହାର ରତ୍ନଭଣ୍ଡାରେ ଷ୍ଟେନଲେସ ବିମ୍ ଲଗାଯିବ।ଏଥି ସହ ନଷ୍ଟ ହୋଇଥିବା ସମସ୍ତ ପଥର ମଧ୍ୟ ପରିବର୍ତ୍ତନ କରାଯିବ। ତେବେ ପୂର୍ବରୁ ଭିତର ରତ୍ନ ଭଣ୍ଡାରରେ ୯ଟି ଷ୍ଟେନଲେସ ବିମ୍ ଲାଗି ସାରିଥିବା ବେଳେ ମୋଟ ୨୭୭ ପଥର ପରିବର୍ତ୍ତନ କରାଯାଇଛି। ସେଥିମଧ୍ୟରୁ ୧୪୮ ଟି ପଥର ଭିତର ରତ୍ନଭଣ୍ଡାରରେ ଲାଗିଥିବା ଜଣାପଡ଼ିଛି। ଭଣ୍ଡାର ଘରର ଭିତର ଦ୍ୱାରକୁ ସୁନାଛାଉଣୀ କରିବା ପାଇଁ ପ୍ରସ୍ତାବ ରହିଥିବା ବେଳେ ବାହାର ଦ୍ୱାରକୁ ରୁପା ଛାଉଣୀ କରାଯିବ। ଏନେଇ ପରବର୍ତ୍ତୀ ସମୟରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ତେବେ ଗତ ୧୦୨୪ ମସିହା ଡିସେମ୍ବର ୧୭ରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଚାରିମାସ ମଧ୍ୟରେ ସମୁଦାୟ ୧୯୩ ଘଣ୍ଟା ପାଞ୍ଚ ମିନିଟ କାର୍ଯ୍ୟ କରାଯାଇଥିଲା।