ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ଟାଟା କମ୍ପାନୀ ୬୩ ହଜାର କୋଟି ଟଙ୍କାର ପ୍ରକଳ୍ପ ତିଆରି କରିବାକୁ ଯାଉଛି । ଆସନ୍ତା ୨୨ ତାରିକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାଟା ପ୍ରକଳ୍ପର ଶିଳାନ୍ୟାସ କରିବେ । ଏ ନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ।
ଉତ୍କର୍ଷ ଓଡ଼ିଶାରେ ହୋଇଥିବା ଚୁକ୍ତି ଅନୁଯାୟୀ ଯାଜପୁରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରାଯିବା ସହିତ ୪ଟି ପ୍ରକଳ୍ପର ଶିଳନ୍ୟାସ କରାଯିବ । ମୋଟ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ ଓ ଉଦଘାଟନ ହେବ । ଏହା ଦ୍ୱାରା ଟାଟା ପ୍ରକଳ୍ପରେ ୩୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମନ୍ତ୍ରୀ ଆହୁରି କହିଛନ୍ତି କେବଳ ଚୁକ୍ତି ସ୍ୱାକ୍ଷର ନ କରି ମୋହନ ସରକାର କାର୍ଯ୍ୟ ମଧ୍ୟ ଜାରି ରଖିଛନ୍ତି । ସେହିପରି ଜଗତସିଂହପୁର ଫେରିଯାଇଥିବା ପୋସ୍କୋ କମ୍ପାନୀ ସ୍ଥାନରେ ଜିନ୍ଦଲ ପ୍ଲାଣ୍ଟ ନିର୍ମାଣ କରୁଛି । ଯାହାର କାମ ଆରମ୍ଭ ହୋଇ ଯାଇଛି ବୋଲି ଶିଳ୍ପ ମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟରେ ଶିଳ୍ପର ଅଗ୍ରଗତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।
ଅନ୍ୟପକ୍ଷରେ ଯେଉଁ ଶିଳ୍ପାନୁଷ୍ଠାନ ସରକାରୀ ଜମି ମାଡ଼ି ବସି କାମ କରୁ ନାହାଁନ୍ତି ସେମାନଙ୍କୁ ଚେତାବନୀ ଦେଇଛନ୍ତି ଶିଳ୍ପ ମନ୍ତ୍ରୀ । ଏ ନେଇ ସମୀକ୍ଷା କରାଯାଇଛି । ଯେଉଁମାନଙ୍କର କିଛି ଅସୁବିଧା ଅଛି, ସେଥିରେ ସରକାର ସହଯୋଗ କରିବେ । ସେହି ଶିଳ୍ପାନୁଷ୍ଠାନଗୁଡ଼ିକୁ ସରକାର ପୁଣି ଥରେ ସୁଯୋଗ ଦେଇଛନ୍ତି । ଦ୍ୱିତୀୟ ସୁଯୋଗରେ କାମ ନ ହେଲେ ଜମି ଫେରାଇବେ । ପୂର୍ବରୁ ଯେଉଁ ଶିଳ୍ପ ଅନୁଷ୍ଠାନ ଜମି ନେଇଥିଲେ କାମ ଆରମ୍ଭ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କେତେ ଶିଳ୍ପ ଆରମ୍ଭ ହୋଇଛି, କେତେ ଆରମ୍ଭ ହୋଇନି ତାଲିକା ପ୍ରସ୍ତୁତ ହୋଇ ସାରିଛି । ନୋଟିସ୍ ଜାରି କରାଯିବ । ଏଥିର କାମ ନ କଲେ ସମ୍ପୃକ୍ତ ଶିଳ୍ପାନୁଷ୍ଠାନ ଜମି ଫେରାଇବେ ବୋଲି ବିଭାଗୀୟ ମନ୍ତ୍ରୀ ସିଧାସିଧା ଶୁଣାଇ ଦେଇଛନ୍ତି ।