ପୁରୀ: ପୁରୀରେ ଏକ ହୋଟେଲରେ ଡାଇନିଂ ଟେବୁଲ ଉପରେ ମହାପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ସେବନକୁ ନେଇ ଆପତ୍ତି ଜଣାଇଛି ଶ୍ରୀମନ୍ଦିର ପ୍ରଶାସନ । ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ ନ କରିବାକ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏ ନେଇ ବିବୃତ୍ତି ଜାରି କରାଯାଇଛି ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି କି, ମହାପ୍ରଭୁଙ୍କ ଦିବ୍ୟ ମହାପ୍ରସାଦ ଅନ୍ନବ୍ରହ୍ମ ରୂପେ ପୂଜିତ । ଭୂମିରେ ବସି ମହାପ୍ରସାଦ ସେବନର ବିଧି ପରମ୍ପରା ଅନାଦି କାଳରୁ ରହିଆସିଛି । ତେଣୁ ଡାଇନିଂ ଟେବୁଲ ଉପରେ ମହାପ୍ରସାଦ ସେବନ କରିବା ଭଳି ପରମ୍ପରା ବିରୋଧୀ କାର୍ଯ୍ୟରୁ ବିରତ ରହିବାକୁ ସମସ୍ତ ଭକ୍ତ ସମାଜକୁ ବିନମ୍ର ନିବେଦନ କରାଯାଉଛି । ହୋଟେଲ ଗୁଡ଼ିକ ମଧ୍ୟ ଏଥିପାଇଁ ଦୃଷ୍ଟି ଦେବା ସହ ନିଜ ଅତିଥିଙ୍କ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ସଚେତନ କରିବାକୁ ଅନୁରୋଧ କରିଛି ମନ୍ଦିର ପ୍ରଶାସନ ।
ପୁରୀର ଏକ ହୋଟେଲରେ କିଛି ବ୍ୟକ୍ତି ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ କୁରଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହାକି ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ଆଘାତ ଦେଇଥିଲା ।
ତେବେ ଏହି ଘଟଣା କିଛି ନୂଆ ନୁହେଁ । ବିଗତ ଦିନମାନଙ୍କରେ ଏଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଗତ ୪ ବର୍ଷ ତଳେ ସମ୍ବଲପୁରରେ ମଧ୍ୟ ଏକ ହୋଟେଲରେ ଜଗନ୍ନାଥ ମହାପ୍ରସାଦ ଡାଇନିଂ ଟେବୁଲ ଉପରେ ପରଶା ଯାଉଥିବାର ଦେଖାଯାଇଥିଲା । ଯାହାକୁ ନେଇ ଭକ୍ତମାନେ ଆପତ୍ତି ଜଣାଇଥିଲେ । ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ ଜେନା ସମ୍ପୃକ୍ତ ହୋଟେଲ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।