ଭୁବନେଶ୍ୱର: ବିଜେଡ଼ି ନେତା ତଥା କଂଗ୍ରେସର ପୂର୍ବତନ ସଦସ୍ୟ ଭୂପିନ୍ଦର ସିଂହଙ୍କ ବୟାନକୁ ନେଇ ଏବେ ରାଜ୍ୟ ରାଜନୀତି ପାଣିପାଗ ସରଗରମ ହୋଇଛି । ପୁରୁଣା ନେତାଙ୍କୁ ଫେରିବାକୁ ଆହ୍ୱାନ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା ।
ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଜୟଦେବ ଜେନା କହିଛନ୍ତି ଯେ ରାଜ୍ୟରେ ଭକ୍ତ ଚରଣ ଦାସ ନୂତନ ପିସିସି ସଭାପତି ଦାୟିତ୍ୱ ନେଲା ପରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ପୁରୁଣା ନେତାଙ୍କୁ ଦଳକୁ ଫେରିବାକୁ ଆହ୍ୱାନ କରାଯାଇଛି । ଯେଉଁମାନେ ଅତୀତରେ ବହୁ ବର୍ଷ ଧରି କଂଗ୍ରେସରେ ଥିଲେ, ଦଳରୁ ଅନେକ ଲାଭ ଉଠାଇଛନ୍ତି ଏବଂ ବିଭିନ୍ନ ପଦ ପଦବୀରେ ରହିଛନ୍ତି ସେମାନଙ୍କୁ ପୁନର୍ବାର ଦଳକୁ ଫେରିବାକୁ ଆହ୍ୱାନ କରାଯାଇଛି । ଏହାର ଏକମାତ୍ର କାରଣ ଭାରତ ବର୍ଷରେ ବିକଳ୍ପ ହେଉଛି କଂଗ୍ରେସ । ଆଉ ବିକଳ୍ପ ବଢ଼ିଯାଇଛି ଭାରତ-ପାକିସ୍ତାନ ଯୁଦ୍ଧ ହେବା ପରେ । ଜନସାଧାରଣଙ୍କ ଆଶା ବଢ଼ିଛି କଂଗ୍ରେସ ସୀମାରେ ସୁରକ୍ଷା ଦେଇ ପାରିବ ।
ସେହିପରି ଓଡ଼ିଶାରେ ମଧ୍ୟ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ଅଟେ । ବର୍ତ୍ତମାନ କଂଗ୍ରେସ ବିରୋଧୀ ଦଳର ଭୂମିକା ଗ୍ରହଣ କରୁଛି । ଆଗାମୀ ଦିନରେ କଂଗ୍ରେସ କ୍ଷମତାକୁ ଆସିବ ବୋଲି ଦୃଢ଼ୋକ୍ତି କରିଛନ୍ତି । ବହୁ ନେତା ରାଜନୀତି ଶେଷ ପର୍ଯ୍ୟାୟରେ କଂଗ୍ରେସ ରହିବାକୁ ଚାହୁଁଛନ୍ତି । ସେଥିପାଇଁ ତୃଣମୂଳ ସ୍ତରରେ ମଧ୍ୟ ଆଲୋଚନା ହେଉଛି କି କଂଗ୍ରେସ ହିଁ ବିକଳ୍ପ । ଲୋକ ସ୍ୱତଃପ୍ରତଃ ଭାବେ ଯୋଗାଯୋଗ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଭୂପିନ୍ଦର ସିଂ ମଧ୍ୟ ଅନୁଭବ କରିଛନ୍ତି କଂଗ୍ରେସ ବିଧାନସଭା ଭିତରେ ହେଉ କି ବାହାରେ ହେଉ ଲଢ଼େଇ କରୁଛି ।
ଜୟଦେବ ଜେନା ଆହୁରି କହିଛନ୍ତି, ବିଜେପି-ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ସେମାନେ ଅତୀତରେ ଏକାଠି ଥିଲେ, ଏବେ ଅଛନ୍ତି, ଭବିଷ୍ୟତରେ ରହିବେ । ଯଦି ସେମାନଙ୍କ କାର୍ଯ୍ୟକୁ ଦେଖିବେ ତେବେ ବିଜେପି ଓ ବିଜେଡ଼ି ଏକାଠି ଅଛନ୍ତି । ତେଣୁ ଜଣେ ପୁରୁଣା ସଦସ୍ୟ ଯଦି ବିଚାର କରିବେ ଦଳକୁ ଫେରିବାକୁ ଚାହୁଁଛନ୍ତି ତେବେ ଫେରିଆସି ପାରିବେ । ଯଦି ଆମେ ଏକାଠି ହେଲେ ଲୋକଙ୍କ ସ୍ୱାର୍ଥ ସାଧନ ହେବ ତେଣୁ ଏକାଠି ହେବାରେ କୌଣସି ଅସୁବିଧା ନାହିଁ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଭୂପିନ୍ଦର ସିଂ କହିଛନ୍ତି ଯେ ଭଲ ଖେଳାଳୀଙ୍କୁ ଦଳ ସବୁବେଳେ ନେବାକୁ ଇଚ୍ଛୁକ । ଏବେ ଆଇପିଏଲ୍ ଚାଲିଛି, ଭଲ ଖେଳାଳୀଙ୍କୁ ସମସ୍ତେ ନେବାକୁ ଚାହିଁବେ । ସେ ଜଣେ ଭଲ ଖେଳାଳୀ । ତାଙ୍କ ପାଖରେ ସମର୍ଥନ ଅଛି । ୨୦୨୪ ନିର୍ବାଚନରେ ବିଜେପି ପ୍ରସ୍ତାବ ଦେଇଥିବାବେଳେ ଏବେ କଂଗ୍ରେସକୁ ଘର ବାହୁଡ଼ା ପାଇଁ ମଧ୍ୟ ପ୍ରସ୍ତାବ ଆସିଥିବା ସେ କହିଛନ୍ତି । ତେବେ ଦଳ ପରିବର୍ତ୍ତନ କରିବେ କି ନାହିଁ ସେ ନେଇ ଭୂପିନ୍ଦର ସ୍ପଷ୍ଟ କରି ନାହାଁନ୍ତି ।