ପୁରୀ: ରଥଖଳାରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାମ । ଆଜି ରଥ ନିର୍ମାଣର ଷୋଡ଼ଶ ଦିବସ ଆଜି ସୁଦ୍ଧା ତିନିରଥର ଗୋଟିଏ ଗୋଟିଏ ନାହାକା ଅଖ ଉଭୟ ପାର୍ଶ୍ୱ ଗୋଲେଇ ସହ ମାଠେଣି କାର୍ଯ୍ୟ ଶେଷ ହୋଇଛି । ଶୁକ୍ରବାର ତିନି ରଥର ୧୨ ଗୋଟି ଚକର ନିର୍ମାଣ ଶେଷ ହେବାସହ ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖର ଅନୁକୂଳ ପୂଜା ପରେ ଅଖର ଉଭୟ ପାର୍ଶ୍ୱ ଗୋଲେଇ କାର୍ଯ୍ୟ ଜାରି ରହିଥିଲା। ତିନିରଥର ମୋଟ ୪୨ ଗୋଟି ଚକ ମଧ୍ୟରୁ ଆଜି ସୁଦ୍ଧା ୧୬ ଗୋଟି ଚକ ନିର୍ମାଣ କାର୍ଯ୍ୟ ମହାରଣା ସେବକ ଶେଷ କରିଛନ୍ତି । ମହାରଣା ସେବକଙ୍କ ସୂଚନା ଅନୁଯାୟୀ ତାଳଧ୍ୱଜ ରଥ ଓ ଦର୍ପଦଳନ ରଥର ୫ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଛି। ନନ୍ଦିଘୋଷ ରଥର ୬ ଗୋଟି ଚକ ନିର୍ମାଣ ଶେଷ ହୋଇଛି। ଏତଦ୍ବ୍ୟତୀତ ତିନି ରଥର ଚାରିଟି ଲେଖାଏଁ ୧୨ ଫୁଟିଆ ପ୍ରଥମ ଭୂଇଁ ଓରା ଚଉପଟ ପରେ ଉଭୟ ପାର୍ଶ୍ୱ ବିନ୍ଧ କାର୍ଯ୍ୟ ଶେଷ ହୋଇଛି।
ଅନ୍ୟପଟେ ଆସନ୍ତା ୧୯ ତାରିଖରେ ଶ୍ରୀକ୍ଷେତ୍ରରେ ପବିତ୍ର ଭଉଁରୀ ତିଥି ଅନୁଷ୍ଠିତ ହେବ । ପରମ୍ପରା ଅନୁସାରେ ରଥ ଖଳାକୁ ଆଜ୍ଞା ମାଳ ବିଜେ କରିବା ସହ ଚକ ଅଖ ଯୋଖା ନୀତି ଅନୁଷ୍ଠିତ ହେବ । ବର୍ତ୍ତମାନ ସୁଦ୍ଧା ରଥ ତିନିଗୋଟିର ପ୍ରାୟ ୧୨ରୁ ଉର୍ଦ୍ଧ ଚକ ନିର୍ମାଣ ସରିଥିବା ବେଳେ ରଥଖଳାରେ ବିଲେଇ ବାଡ଼ିଆ କାର୍ଯ୍ୟ ଜାରି ରହିଛି । ସେହିପରି ତିନି ରଥ ପାଇଁ ୭୮ଜଣ ବିଶ୍ୱକର୍ମା, ୬୫ଜଣ ଭୋଇ ସେବକ, ୪ଜଣ କରତି ସେବକ ,୧୫ଜଣ କମାର ସେବକ, ୨୧ଜଣ ରୂପକାର ସେବକ ଓ ଅନାନ୍ୟ କାରିଗରକୁ ମିଶାଇ, ମୋଟ ୧୮୮ ଜଣ ରଥ କାର୍ଯ୍ୟରେ ନିୟୋଜିତ ଅଛନ୍ତି lରଥଯାତ୍ରା ଯେତିକି ନିକଟତର ହେଉଛି ରଥ ନିର୍ମାଣ କାର୍ଯ୍ୟ ସେତିକି ଅଗ୍ରସର ହେଉଥିବାବେଳେ ପ୍ରଚଣ୍ଡ ଖରା ଗୁଳୁଗୁଳି ସତ୍ୱେ ରଥ ଖଳାରେ ସେବକମାନେ କାର୍ଯ୍ୟ କରୁଥିବା ଜଣାପଡିଛି l