ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ଜଗନ୍ନାଥ ମନ୍ଦିରର ସେବାୟତମାନେ ଅଧିଆ ପଡ଼ି ଅଭିନବ ଉପାୟରେ ଆନ୍ଦୋଳନ କରିଛନ୍ତି । ମନ୍ଦିରର ଜମି ଓ ଅଳଙ୍କାର ପୁନର୍ଦ୍ଧାର କରିବା ସହିତ ମନ୍ଦିରର ବିଭିନ୍ନ ସମସ୍ୟା ନେଇ ସେବାୟତମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ବାରିପଦାର ମହାପ୍ରଭୁ ଜଗନ୍ନାଥ ମନ୍ଦିର ନାମରେ ପ୍ରାୟ ୪୪ ହଜାର ଏକର ଜମି ରହିଛି । ମାତ୍ର ସେଥିରୁ ୪୦ ଏକର ଜମି ହଡ଼ପ ହୋଇଥିବା ଅଭିଯୋଗ କରିଛନ୍ତି ସେବାୟତ । ହଡ଼ପ ଜମିର ପୁନର୍ଦ୍ଧାର ପାଇଁ ବିଗତ ସରକାର ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିବାବେଳେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା । ସେହିପରି ତିନି ଠାକୁରଙ୍କ ସୁନା ଗହଣାକୁ ମଧ୍ୟ ପୁନର୍ଦ୍ଧାର କରିବାକୁ ଦାବି କରାଯାଇଛି । ଏହା ସହିତ ମନ୍ଦିରର ନୂତନ କୋଠା ପାଇଁ ମଧ୍ୟ ଦାବି ହୋଇଛି ।
ଓଡ଼ିଶା ମଠ ସେବାୟତ ସଂଘ ସଭାପତି କାମେଶ୍ୱର ତ୍ରିପାଠୀ କହିଛନ୍ତି, ବିଗତ ସରକାରଙ୍କ ବାରମ୍ବାର ଏ ନେଇ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା । ସେହିପରି ଗତ ରଥଯାତ୍ରାବେଳେ ଉପ ମୁଖ୍ୟମନ୍ତ୍ରୀ ଆସିଥିବାବେଳେ ତାଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିଲା । ତେଣୁ ଯେପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଛି ସେପର୍ଯ୍ୟନ୍ତ ସମସ୍ତ ସେବାୟତ ଅଧିଆ ପଡ଼ିବେ ବୋଲି ସେ କହିଛନ୍ତି ।