ଗଜପତି: ଯେଉଁ ମା' ନବଜାତ ଶିଶୁକୁ ରାସ୍ତା କଡ଼ରୁ ଗୋଟାଇ ଆଣି ଲାଳନପାଳନ କରି ବଡ଼ କରିଥିଲା,ରାସ୍ତାକଡ଼ରୁ ଉଠାଇ ପାଳିଥିଲା ୧୩ ବର୍ଷର ହେଲା ପରେ ସେହି ମା'କୁ ପ୍ରେମିକ ସହ ମିଶି ହତ୍ୟା କରିଛି ପାଳିତା କନ୍ୟା । ପ୍ରେମ ସମ୍ପର୍କକୁ ମା' ବାରଣ କରିବାରୁ ପ୍ରେମିକ ସହ ମିଶି ମା’କୁ ହତ୍ୟା କରିଛି ନାବାଳିକା। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ତେଲିଶୁଣ୍ଡି ସାହିରେ ଘଟିଛି । ପୋଲିସ ଏହି ରହସ୍ୟ ଜନକ ଅପରାଧ ଘଟଣାର ପର୍ଦ୍ଧାଫାଶ କରିଛି ।
ସୂଚନା ଅନୁସାରେ, ପାଠ ପଢିବା ପାଇଁ ଭୁବନେଶ୍ଵରରୁ ଆସି ପାରଳାଖେମୁଣ୍ଡିରେ ପୋଷ୍ୟଝିଅ ସହ ଭଡ଼ା ଘରେ ରହୁଥିଲେ ମା' ରାଜଲକ୍ଷ୍ମୀ। ଭୁବନେଶ୍ଵର କେନ୍ଦ୍ରୀୟ ବିଦ୍ୟାଳୟରେ ସ୍ଥାନ ନ ମିଳିବାରୁ ପାରଳାଖେମୁଣ୍ଡିରେ ରହି କେନ୍ଦ୍ରୀୟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢାଉଥିଲେ। ହେଲେ ନାବାଳିକା ଜଣକ ସ୍ଥାନୀୟ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିଲା। ମା’ ରାଜଲକ୍ଷ୍ମୀ ଜାଣିବା ପରେ ପ୍ରତିବାଦ କରିଥିଲେ ।
ଏଥିରେ ନାବାଳିକା ରାଗି ଯାଇ ପ୍ରେମିକ ସହ ମିଶି ମା’କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲା। ପ୍ରଥମେ ଖାଦ୍ୟରେ ନିଶା ବଟିକା ଦେଇ ଅଚେତ କରାଇବା ପରେ ପ୍ରେମିକ ଓ ଅନ୍ୟଜଣେ ସହଯୋଗୀ ସହ ମିଶି ମୁହଁରେ ତକିଆ ଚାପି ଶ୍ଵାସରୁଦ୍ଧ କରି ହତ୍ୟା କରିଥିଲେ । ମା’ର ମୃତ୍ୟୁ ପରେ ଯୋଜନା ପ୍ରକାରେ ହୃଦ୍ଘାତରେ ମୃତ୍ୟୁ ହୋଇଥିବା ଦର୍ଶାଇ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରୁ ଭୁବନେଶ୍ବର ନେଇ ପରିବାର ସମ୍ପର୍କୀୟଙ୍କ ସହଯୋଗରେ ଶେଷକୃତ୍ୟ ସଂପନ୍ନ କରି ଦେଇଥିଲା ନାବାଳିକା। ପରବର୍ତ୍ତୀ ସମୟରେ ବିଭିନ୍ନ ମାଧ୍ୟମରେ ପ୍ରେମିକ ସହ ନାବାଳିକା ଜଣକ ଯୋଗାଯୋଗରେ ରହୁଥିଲା। ନାବାଳିକା ଓ ପ୍ରେମିକର ବାର୍ତ୍ତାଳାପରୁ ପରିବାର ଲୋକଙ୍କ ସନ୍ଦେହ ଉପୁଜିଥିଲା । ପରେ ଘଟଣାର ତଦନ୍ତ ପାଇଁ ପୁଲିସକୁ ପରିବାର ଲୋକେ ଅନୁରୋଧ କରିବା ପରେ ଘଟଣାର ରହସ୍ୟ ଖୋଲିଥିଲା ।
ଗତ ଏପ୍ରିଲ ୨୯ ତାରିଖରେ ଘଟିଥିବା ଏହି ଘଟଣାର ୧୫ଦିନ ପରେ ପଦାକୁ ଆସିଛି। ପରେ ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ନଗଦ ୬୦ ହଜାର,୨୬ ଗ୍ରାମ ସୁନା ଓ ତିନିଟି ମୋବାଇଲ ଜବତ କରିଛି। ଅଧିକ ତଦନ୍ତ ପାଇଁ ପୋଲିସ ଅଭିଯୁକ୍ତକୁ ହତ୍ୟାକାଣ୍ଡ ଘଟାଇଥିବା ଘରକୁ ନେଇ ଘଟଣାର ସିନ୍ ରିକ୍ରିଏସନ୍ କରିଛି।