ଭୁବନେଶ୍ୱର: କାଳ ସାଜିଲା ବ୍ରଜପାତ। କାଲି(ଶୁକ୍ରବାର) ଗୋଟିଏ ଦିନରେ ବ୍ରଜାପାତରେ ଚାଲିଯାଇଛି ୧୨ ଜଣଙ୍କ ଜୀବନ। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସାଙ୍ଗକୁ ବ୍ରଜାଘାତ ଘଟି ଅକାଳରେ ଲୋକଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ କେବଳ କୋରାପୁଟ ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ, ଢେଙ୍କାନାଳ ଓ ଯାଜପୁରରେ ୨ଜଣଙ୍କ ଲେଖାଏଁଙ୍କ ଜୀବନ ଯାଇଛି । ସେହିପରି ବାଲେଶ୍ବର, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି ।
ରାଉରକେଲାରେ ବଜ୍ରପାତରେ CRPF ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ସେମାନେ କମ୍ବିଂ ଅପରେସନରେ ଯାଉଥିବା ବେଳେ ବଜ୍ରପାତ ହୋଇଥିଲା । ସେହିପରି କୋରାପୁଟ ଜିଲ୍ଲାରେ ଧାନ ବିଲରେ ବଜ୍ରପାତରେ ଟଳିପଡ଼ିଲେ ୩ ଜଣ । ନଦୀରେ ମାଛ ଧରିବା ବେଳେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ହୋଇଛି । ଯାଜପୁରରେ ଘର ଆଗରେ ଠିଆ ହୋଇଥିବା ବେଳେ ୨ ନାବାଳକ ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓ ଗଁଦିଆ ବ୍ଲକରେ ୨ ଜଣଙ୍କର ଜୀବନ ଯାଇଛି । ବାଲେଶ୍ବର ଜିଲ୍ଲା ସୋରରେ ଜଣେ ଶ୍ରମିକ ବଜ୍ରପାତରେ ଟଳି ପଡ଼ିଛନ୍ତି । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଓ ବେଲଗୁଣ୍ଠାରେ ୨ ଜଣଙ୍କର ଜୀବନ ନେଇଛି ବଜ୍ରପାତ । ଗଜପତି ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମରେ କାଜୁତୋଟାରେ ମହିଳା ଓ ପଡ଼ିଆରେ ଜଣେ ଛାତ୍ର ବଜ୍ରପାତରେ ଟଳି ପଡ଼ିଛନ୍ତି । ସେହିପରି ଗଜପତିରେ ଟ୍ରାକ୍ଟରରୁ ଇଟା ଓହ୍ଲାଉଥିବା ବେଳେ ଜଣେ ମହିଳା ଶ୍ରମିକଙ୍କ ଜୀବନ ଯାଇଛି । ନବରଙ୍ଗପୁରରେ ମକା ଶୁଖାଇବା ବେଳେ ବଜ୍ରପାତରେ ପୁତୁରାର ମୃତ୍ୟୁ ହୋଇଥିବା ବେଳେ ଦାଦା ଗୁରୁତର ଅଛନ୍ତି ।