ନୂଆଦିଲ୍ଲୀ: ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିକୁ ଲାଗିଛି ବଡ ଝଟକା । ପାର୍ଟିର ୧୩ କାଉନସିଲ ଦଳରୁ ଇସ୍ତଫା ଦେଇଛନ୍ତି । ଏହି ସମସ୍ତେ ଏକ ନୂଆ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି । ଇସ୍ତଫା ଘୋଷଣା କରିଥିବା କାଉନସିଲରମାନେ ଅଭିଯୋଗ କରିଛନ୍ତି ଯେ, ପାର୍ଟିର ଶୀର୍ଷ ନେତୃତ୍ୱ ନିଗମକୁ ଠିକରେ ଚଲାଇ ପାରୁ ନାହାନ୍ତି । ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବା କାରଣରୁ ଆମେ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛୁ ।
କାଉନସିଲରମାନେ ନୂଆ ପାର୍ଟି ଗଠନର ଘୋଷଣା କରି ପାର୍ଟିର ନାଁ ଇନ୍ଦ୍ରପ୍ରସ୍ତ ବିକାଶ ପାର୍ଟି ଦେଇଛନ୍ତି । ମୁକେଶ ଗୋୟଲଙ୍କୁ ଦଳର ନେତା ଭାବେ ଚୟନ କରାଯାଇଛି । କାଉନସିଲରମାନେ କହିଛନ୍ତି, ଆମେ ସମସ୍ତେ ଦିଲ୍ଲୀ ନଗର ନିଗମ ୨୦୨୨ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଟିକେଟରୁ ନିର୍ବାଚନ ଲଢି ଜିତିଥିଲୁ । ମାତ୍ର ପାର୍ଟିର ଶୀର୍ଷ ନେତୃତ୍ୱ ଦିଲ୍ଲୀ ନଗର ନିଗମକୁ ସୂଚାରୁ ଭାବେ ପରିଚାଳନା କରିବାରେ ଅସମର୍ଥ ହେଲେ । ଶୀର୍ଷ ନେତୃତ୍ୱଙ୍କ କାଉନସିଲଙ୍କ ସହ ସମନ୍ୱୟ ନ ରଖି ପାରିବା କାରଣରୁ ବିଧାନସଭା ନିର୍ବାଚନରେ ପରାଜିତ ହେଲେ । ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରି ପାରିବା କାରଣରୁ ଆମେ ୧୩ କାଉନସିଲର ଆପରୁ ଇସ୍ତଫା ଦେଉଛୁ ।
ଇସ୍ତଫା ଦେଇଥିବା ୧୩ କାଉନସିଲର ହେଉଛନ୍ତି- ହେମନଚନ୍ଦ ଗୋୟଲ, ଦିନେଶ ଭରଦ୍ୱାଜ, ହିମାନୀ ଜୈନ, ଉଷା ଶର୍ମା, ସାହିବ କୁମାର, ରାଖି କୁମାର, ଅଶୋକ ପାଣ୍ଡେ, ରାଜେଶ କୁମାର, ଅନିଲ ରାଣା, ଦେବେନ୍ଦ୍ର କୁମାର ଆଦିଙ୍କ ନାଁ ସାମିଲ ।