ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଆତଙ୍କବାଦୀର ଦେଶ ପାକିସ୍ତାନ ବିରୁଦ୍ଧରେ ଅପରେସନ ସିନ୍ଦୂର ଜରିଆରେ ଭାରତ ରଣ ହୁଂକାର ଦେଇଥିଲା । ଯାହାର ଭୟରେ ଥରହର ହୋଇଥିଲା ପଡ଼ୋଶୀ ରାଷ୍ଟ୍ର । ଆତଙ୍କବାଦୀଙ୍କୁ ନିଜେ ଘରେ ପାଳୁଥିବା ପାକିସ୍ତାନ ଭାରତ ଉପରେ ପାଲଟା ଆକ୍ରମଣ କରିଥିଲା । ମେ ୮-୯ ରାତିରୁ ଭାରତ ଉପରେ ଗୋଟିଏ ପରେ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରିଥିଲା । କିନ୍ତୁ କେଉଁ ଗୋଟିଏରେ ବି ସଫଳ ହୋଇ ପାରିନଥିଲା ପାକିସ୍ତାନ । ଭାରତର ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନର ସବୁ ରଣନୀତିକୁ ଅସଫଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଆଉ ଏଥିରେ ସାଥ୍ ଦେଇଥିଲା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର । ଇସ୍ରୋ ସଠିକ୍ ଏବଂ ସ୍ପଷ୍ଟ ଚିତ୍ର ପାଇଁ ପାକିସ୍ତାନକୁ ବିଫଳ କରିବାରେ ବେଶ ସହାୟକ ହୋଇଥିଲା । ଏ ନେଇ ସୂଚନା ଦେଇଛନ୍ତି ଇସ୍ରୋର ଅଧ୍ୟକ୍ଷ ବି. ନାରାୟଣ ।
ମେ ୧୧ରେ ମଣିପୁର ଇମ୍ଫାଲର ସେଣ୍ଟ୍ରାଲ ଏଗ୍ରିକଲ୍ଚର୍ ୟୁନିଭର୍ସିଟିର ପଞ୍ଚମ ଦୀକ୍ଷାନ୍ତ ସମାରୋହରେ ଇସ୍ରୋ ଅଧ୍ୟକ୍ଷ ବି. ନାରାୟଣ ଯୋଗ ଦେଇ କହିଛନ୍ତି ଯେ ଯୁଦ୍ଧ ପରିସ୍ଥିତି ପାଇଁ ଅତିକମରେ ୧୦ଟି ସାଟେଲାଇଟ୍ କାର୍ଯ୍ୟକ୍ଷମ ରହିଛି । ଯାହାକି ଭାରତୀୟଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିପାରିବ । ଭାରତର ସାଟେଲାଇଟ୍ କଠିନ ପରିସ୍ଥିତିରେ ସୁରକ୍ଷାବାହିନୀଙ୍କ ସାହାଯ୍ୟ ଏବଂ ତତ୍କାଳ ବିପଦକୁ ଏଡ଼ାଇବାରେ ସହାୟକ ହୋଇଛି ସେ ତାହାକୁ ସ୍ପଷ୍ଟ କରିଛନ୍ତି । ଏହି ସମୟରେ ଭାରତୀୟ ସାଟେଲାଇଟ୍ ପୁରା ସଠିକତା ସହିତ କାମ କରିଥିଲା । ପୂର୍ବରୁ ଆମ ପାଖରେ ୩୬ରୁ ୭୨ ସେଣ୍ଟିମିଟର୍ ରେଜୁଲ୍ୟୁସନ୍ ବିଶିଷ୍ଟ କ୍ୟାମେରା ଥିଲା । କିନ୍ତୁ ସମ୍ପତ୍ତି ଆମ ପାଖରେ ଚନ୍ଦ୍ରରେ ଅନ୍-ଅର୍ବିଟର୍ ହାଇ ରେଜୁଲ୍ୟୁସନ୍ କ୍ୟାମେରା ରହିଛି । ଯାହାକି ଦୁନିଆର ସର୍ବୋତ୍ତମ କ୍ୟାମେର ଭିତରେ ଗୋଟିଏ । ଏହା ବାଦ୍ ଆମ ପାଖରେ ଏମିତି କ୍ୟାମେରା ରହିଛି ଯାହାକି ୨୬ ସେଣ୍ଟିମିଟର ରେଜୁଲ୍ୟୁସନରେ ମଧ୍ୟ ସ୍ପଷ୍ଟ ଚିତ୍ର ଦେଖାଇପାରିବ ।
ବି. ନାରାୟଣଙ୍କ କହିଛନ୍ତି, ଇସ୍ରୋ ଯେଉଁ ସାଟେଲାଇଟ୍ ମହାକାଶକୁ ପଠାଇ ଥାଏ ତାହା ଲୋକଙ୍କ ହିତ ପାଇଁ ଉଦ୍ଦିଷ୍ଟ ଅଟେ । ବର୍ତ୍ତମାନ ପ୍ରାୟ ୫୦ଟି ସାଟେଲାଇଟ୍ ଟିଭିରେ ପ୍ରସାରଣ, ଟେଲିକମ୍ୟୁନିକେସନ୍ ଓ ସୁରକ୍ଷା ପାଇଁ ବ୍ୟବହାର କରାଯାଉଛି । ମଙ୍ଗଳଯାନ ଅର୍ବିଟର ମିଶନ ପରେ, ଇସ୍ରୋ ଏବେ ଏକ ଅବତରଣ ମିଶନ ଉପରେ ମଧ୍ୟ କାମ କରୁଛି, ଯାହାକୁ ପ୍ରାୟ ୩୦ ମାସ ମଧ୍ୟରେ ଉତକ୍ଷେପଣ କରିବାକୁ ଯୋଜନା ରଖିଛି ।