ତାମିଲନାଡୁ: ଭାରତୀୟ ସେନାର ନିଜର ସମସ୍ତ ସଞ୍ଚିତ ଅର୍ଥ ଦାନ କରି ଚର୍ଚ୍ଚାରେ ଜଣେ ୮ ବର୍ଷର ବାଳକ। ଯେଉଁ ବୟସରେ ପିଲା ଖେଳନା କିଣିବାକୁ ଜିଦି କରନ୍ତି, ସେଇ କୁନି ବୟସରେ ନିଜ ସବୁ ସଞ୍ଚିତ ଅର୍ଥକୁ ଦାନ କରିଦେଇଛନ୍ତି ତାମିଲନାଡୁର ଜଣେ ୮ ବର୍ଷର କୁନି ପୁଅ। ଏହି ବାଳକ ଜଣକ ତାମିଲନାଡୁ କରୁର ଜିଲ୍ଲାର ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ସାଇ ଧନଭିଶ। ବ୍ୟକ୍ତିଗତ ଭାବେ ସେ ଜିଲ୍ଲାପାଳଙ୍କୁ ଭେଟି ଏହି ଟଙ୍କା ଦାନ କରିଛନ୍ତି। ଦେଶପ୍ରେମ ଓ ସେବା ମନୋଭାବରେ ପରିପୂର୍ଣ୍ଣ ଏହି ପିଲାଟିର ଦୃଢ ନିଷ୍ପତି ଏବଂ ଚିନ୍ତାଧାରାକୁ ଚାରିଆଡୁ ପ୍ରଂଶସା କରାଯାଉଛି।
ସାଇ ଧନଭିଶ ନିଜ ପରିବାର ଓ ସର୍ମ୍ପକୀୟଙ୍କ ଠାରୁ ପାଉଥିବା ଟଙ୍କାକୁ ଏକ ହଳଦିଆ ବାକ୍ସରେ ସଂଗ୍ରହ କରି ଜମା ରଖୁଥିଲେ। ସେଇ ଡବାକୁ ନେଇ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଛନ୍ତି। ୮ବର୍ଷର ଶିଶୁର ଏଭଳି ମାନସିକତା ଦେଖି ଜିଲ୍ଲାପାଳ ମଧ୍ୟ ଭାବବିହ୍ୱଳ ହୋଇପଡ଼ିଥିଲେ। ତେବେ ନିଜ ସଞ୍ଚୟ ଦାନ ଘଟଣାକୁ ନେଇ ଧନଭିଶ କହିଛନ୍ତି, ‘ସେନା ଯବାନ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବାରୁ ସେମାନଙ୍କୁ କୃତଜ୍ଞତା ପାଇଁ ସଞ୍ଚିତ ଅର୍ଥ ଦାନ କରିବାକୁ ନିଷ୍ପତି ନେଇଛି’।
ତେବେ ଏଇ ଘଟଣା ଧନଭିଶଙ୍କ ପାଇଁ ନୂଆ ନୁହେଁ। ପୂର୍ବରୁ ମଧ୍ୟ ସେ ନିଜ ସେବା ମନୋବୃତ୍ତି ଦେଖାଇସାରିଛନ୍ତି। ୱାୟାନାଡାରେ ଭୂସ୍ଖଳନ ବେଳେ ପୀଡିତଙ୍କ ସାହାର୍ଯ୍ୟ ପାଇଁ ସେ ନିଜ ସଞ୍ଚୟକୁ ଦାନ କରିଥିଲେ। ଏଥିସହ ସେ ନିୟମିତ ଭାବେ ଅସହାୟ ବୃଦ୍ଧବୃଦ୍ଧାକୁ ପୋଷାକ ଓ ଖାଦ୍ୟ ବଣ୍ଟନ କରନ୍ତି।
ଧନଭିଶ ଏକ ସାଧାରଣ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି। ତାଙ୍କ ବାପା-ମା ଏକ ମାଛ ଦୋକାନ କରି ପରିବାର ଚଳାନ୍ତି। ଏହା ସ୍ୱତେ ସେ କେବେ ପିଲାଟିର ସେବା ମନୋବୃର୍ତ୍ତିରେ ଆର୍ଥିକ ସୀମା ଭାବେ ବାଧା ସୃଷ୍ଟି କରିନାହାନ୍ତି। ଏତେ ଛୋଟ ବୟସରୁ ଧନଭିଶଙ୍କର ଏହି ମହାନ୍ ଚିନ୍ତାଧାରା ଆଗାମୀ ପିଢି ପାଇଁ ପ୍ରେରଣା ପାଲଟିବ।