ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ମହାନ ୱିକେଟ୍ କିିପର ବ୍ୟାଟର ତଥା ଆଇପିଏଲରେ ଡେକାନ ଚାର୍ଜର୍ସ ହାଇଦ୍ରାବାଦର ଅଧିନାୟକ ରହିଥିବା ଆଡାମ ଗିଲକ୍ରିଷ୍ଟ ଇଣ୍ଡିଆନ ପ୍ରିମିୟର ଲିଗର ସର୍ବକାଳୀନ ଏକାଦଶ ବା ଅଲଟାଇମ ପ୍ଲେଇଙ୍ଗ ଇଲେଭେନ ଚୟନ କରିଛନ୍ତି । ଗିଲକ୍ରିଷ୍ଟ ବିଶ୍ୱର ଏହି ବଡ କ୍ରିକେଟ୍ ଲିଗ୍ ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କୁ ଅଧିନାୟକ ଭାବେ ଚୟନ କରିଛନ୍ତି । ଧୋନୀ ପ୍ରଥମ ସିଜିନରୁ ନେଇ ଏ ପର୍ଯ୍ୟନ୍ତ ଆଇପିଏଲ ଖେଳୁଛନ୍ତି । ସେ ପାଞ୍ଚ ଥର ଚେନ୍ନାଇ ସୁପର କିଙ୍ଗସକୁ ଚାମ୍ପିଅନ କରାଇଛନ୍ତି ।
ସବୁଠୁ ବଡ କଥା ଗିଲଖ୍ରୀଷ୍ଟ ଏହି ଲିଗରେ ସର୍ବାଧିକ ରନ କରିଥିବା ବିରାଟ କୋହଲିଙ୍କୁ ନିଜର ଅଲଟାଇମ ଇଲେଭେନରେ ରଖି ନାହାନ୍ତି । ସେ ୱେଷ୍ଟଇଣ୍ଡିଜର ପୂର୍ବତନ ବିସ୍ଫୋରକ ବ୍ୟାଟର କ୍ରିସ ଗେଲଙ୍କୁ ମଧ୍ୟ ସ୍ଥାନ ଦେଇ ନାହାନ୍ତି । ବିରାଟ ଓ ଗେଲଙ୍କ ନାଁରେ ଆଇପିଏଲରେ ଅନେକ ବଡ ବଡ ରେକର୍ଡ ରହିଛି ।
ଗିଲକ୍ରିଷ୍ଟ ତାଙ୍କ ସର୍ବକାଳୀନ ଏକାଦଶରେ ଓପନର ଭାବରେ ଡେଭିଡ ୱାର୍ଣ୍ଣର ଏବଂ ରୋହିତ ଶର୍ମାଙ୍କୁ ସାମିଲ କରିଛନ୍ତି। ଏହା ପରେ ମିଷ୍ଟର ଆଇପିଏଲ ସୁରେଶ ରାଇନାଙ୍କୁ ଚୟନ କରିଛନ୍ତି। ତା’ପରେ ସୂର୍ୟ୍ୟକୁମାର ଯାଦବଙ୍କ ଉପରେ ଭରସା ରଖିଛନ୍ତି । ୱେଷ୍ଟଇଣ୍ଡିଜର କିରନ ପୋଲାର୍ଡ ଏବଂ ସୁନୀଲ ନାରିନ ମଧ୍ୟକ୍ରମରେ ଅଛନ୍ତି। ଗିଲକ୍ରିଷ୍ଟ ମହେନ୍ଦ୍ର ସିଂହ ଧୋନୀଙ୍କୁ ଏହି ଦଳର ଅଧିନାୟକ ଭାବରେ ବାଛିଛନ୍ତି।
ଗିଲକ୍ରିଷ୍ଟ ତାଙ୍କର ସର୍ବକାଳୀନ ଏକାଦଶରେ ଦୁଇ ଜଣ ସ୍ପିନର ଏବଂ ତିନି ଜଣ ଦ୍ରୁତ ବୋଲରଙ୍କୁ ସାମିଲ କରିଛନ୍ତି। ସ୍ପିନର ଭାବରେ ରବୀନ୍ଦ୍ର ଜାଡେଜା ଏବଂ ସୁନୀଲ ନାରିନଙ୍କୁ ରଖାଯାଇଛି। ଦୁହେଁ ଉତ୍କୃଷ୍ଟ ସ୍ପିନର ହେବା ସହିତ ବ୍ୟାଟିଂରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାନ୍ତି । ଦ୍ରୁତ ବୋଲିଂ ଲାଇନ୍ ଅପରେ ଯଶପ୍ରୀତ ବୁମରା, ଲସିଥ ମାଲିଙ୍ଗା ଏବଂ ଭୁବନେଶ୍ୱର କୁମାର ରହିଛନ୍ତି ।
ଆଶ୍ଚର୍ୟ୍ୟର କଥା, ଆଡାମ ଗିଲକ୍ରିଷ୍ଟ ଏହି ଲିଗରେ ଆଫଗାନିସ୍ତାନ ଲେଗ୍ ସ୍ପିନର ରସିଦ ଖାନଙ୍କୁ ମଧ୍ୟ ଚୟନ କରିନାହାଁନ୍ତି। ରସିଦ ଦୀର୍ଘ ସମୟ ଧରି ଲିଗର ଶ୍ରେଷ୍ଠ ବୋଲର ହୋଇଆସିଛନ୍ତି। ଗିଲକ୍ରିଷ୍ଟ ମଧ୍ୟ ଏହି ସର୍ବକାଳୀନ ଏକାଦଶରେ କିଙ୍ଗ କୋହଲିଙ୍କୁ ସାମିଲ କରିନାହାଁନ୍ତି। ଏପରିକି ଏହି ଦଳରେ ଏବି ଡିଭିଲିୟର୍ସଙ୍କୁ ସାମିଲ କରିନାହାଁନ୍ତି।
ଆଡାମ ଗିଲକ୍ରିଷ୍ଟଙ୍କ ସର୍ବକାଳୀନ ଆଇପିଏଲ୍ ଏକାଦଶ: ଡେଭିଡ ୱାର୍ଣ୍ଣର, ରୋହିତ ଶର୍ମା, ସୁରେଶ ରାଇନା, ସୂର୍ୟ୍ୟ କୁମାର ଯାଦବ, କିରେନ ପୋଲାର୍ଡ, ଏମଏସ ଧୋନୀ (ଅଧିନାୟକ), ସୁନୀଲ ନାରିନ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, ଲସିଥ ମାଲିଙ୍ଗା ଏବଂ ଭୁବନେଶ୍ୱର କୁମାର।