ଭୁବନେଶ୍ୱର: ଅସହ୍ୟ ତାତିରୁ ମିଳିବ ମୁକ୍ତି । ଆସନ୍ତାକାଲି ଠାରୁ ଆଗାମୀ ୨ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ୧୮ ତାରିଖ ଯାଏଁ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବଜ୍ରପାତ ହେବ । ସମୁଦ୍ର ପତନ ଠାରୁ ୯ କିଲୋମିଟର ଉଚ୍ଚରେ ଏକ ଟ୍ରପ ଲାଇନ ରହିଥିବାରୁ ଏହାର ପ୍ରଭାବରେ ବର୍ଷା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ମୟୁରଭଞ୍ଜ ଓ କେନ୍ଦୁଝର ଏହି ୧୨ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି କାଳବୈଶାଖୀ ବର୍ଷାକୁ ନେଇ ୧୧ ଜିଲ୍ଲା କେନ୍ଦୁଝର, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, ନୂଆପଡା , କୋରାପୁଟ ,ମାଲକାନଗିରି ,ରାୟଗଡା, ଗଂଜାମ ଓ ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଛି । ବିଜୁଳି ଘଡଘଡି ସହ ହାଲୁକା ବର୍ଷା ସହ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।
୧୮ ତାରିଖ ଯାଏଁ ଏହି ଆଲର୍ଟ ଜାରି କରାଯାଇଛି। ସପ୍ତାହେ ଯାଏ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଅନ୍ୟପଟେ ଆଗାମୀ ୩ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାରେ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ଝଡ଼, ପବନ ହେବା ନେଇ ଆଶଙ୍କା ରହିଛି।