ଭୁବନେଶ୍ୱର: ଅଦିନିଆ ବର୍ଷାକୁ ରାଜ୍ୟ ସରକାର ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗ୍ରହଣ କରିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ପୂର୍ବରୁ ୮ଟି ବିପର୍ଯ୍ୟୟ ତାଲିକା ରହିଥିବାବେଳେ ଅଦିନିଆ ବର୍ଷାକୁ ମଧ୍ୟ ତାଲିକାଭୁକ୍ତ କରାଯାଇଛି । ଅଦିନିଆ ବର୍ଷାରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷୟକ୍ଷତି ହେଲେ କ୍ଷତିପୂରଣରେ ତାଲିକା ଭୁକ୍ତ କରାଯିବ । ଏହି ମାପ ଦଣ୍ଡକୁ କେନ୍ଦ୍ର ସରକାର ଧାର୍ଯ୍ୟ କରିଛନ୍ତି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।
ରାଜସ୍ୱ ମନ୍ତ୍ରୀ କହିଛନ୍ତି, ବିଭିନ୍ନ ସମୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ପଞ୍ଜିକରଣ ହୋଇଥାଏ । ଏହି କ୍ରମରେ ବନ୍ୟା, ବାତ୍ୟା, ଗ୍ରୀଷ୍ମ ପ୍ରବାହ, ବୁଡ଼ି ମରିବା, ସାପ କାମୁଡ଼ା, ବଜ୍ରାଘାତ ମୃତ୍ୟୁ ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ବିଗତ ଦିନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ରାଜ୍ୟ ସରକାର ୨୯୧ କୋଟି ଟଙ୍କାର ଇନପୁଟ୍ ସହାୟତା ରାଶି ଦେଇଥିଲେ । ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତିକୁ ତାଲିକାଭୁକ୍ତ କରାଯାଇଛି । ଭବିଷ୍ୟତରେ ଅଦିନିଆ ବର୍ଷାରେ ଫସଲ ହାନି ହେଲେ କ୍ଷତିପୂରଣ ପ୍ରଦାନ କରିବେ ରାଜ୍ୟ ସରକାର । ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷୟକ୍ଷତି ହେଲେ କ୍ଷତିପୂରଣ ଦିଆଯିବ । ଏହି ମାପଦଣ୍ଡ କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତି । ସେଥିରେ ଧାନରୁ ଆରମ୍ଭ କରି ପନିପରିବା ଚାଷ ମଧ୍ୟ ରହିଛି ।
ସେହିପରି ବିଭାଗୀୟ ମନ୍ତ୍ରୀ ଆହୁରି କହିଛନ୍ତି ଯେ ଯେବେଠାରୁ ନୂତନ ସରକାର ଆସିଛନ୍ତି ସେବେଠାରୁ ଆଜି ଯାଏଁ ପ୍ରାକୃତିକ ବିପର୍ଯ୍ୟୟରେ ଶୂନ୍ୟ ମୃତ୍ୟୁ ସଂଖ୍ୟା (ଜିରୋ କାଜୁଆଲଟି) ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିରେ ସଫଳ ମଧ୍ୟ ହୋଇଛି । ବନ୍ୟା, ବାତ୍ୟା ଦାନା, ଗ୍ରୀଷ୍ମ ପ୍ରବାହ ଯାଏ ଜିରୋ କାଜୁଆଲଟି ରହିଛି । କିନ୍ତୁ ବିଗତ ବର୍ଷମାନଙ୍କରେ ଏହି କ୍ଷେତ୍ରରେ ମୃତ୍ୟୁ ସଂଖ୍ୟା ଢେର ଅଧିକ ଥିଲା ବୋଲି କହିଛନ୍ତି ମନ୍ତ୍ରୀ ।
ଏଠାରେ ପ୍ରକାଶ ଯୋଗ୍ୟ, ଗତକାଲି ରାଜ୍ୟ ସରକାର ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ପ୍ରାକୃତିକ ବିପର୍ଯ୍ୟୟ ଭାବରେ ଘୋଷଣା କରିଛନ୍ତି । ଏହା ଦ୍ୱାର କୃଷକମାନେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ସହାୟତା ପାଇ ପାରିବେ । ଏସଡିଆରଏଫର ବାର୍ଷିକ ଆବଣ୍ଟନ ସର୍ବାଧିକ ୧୦ ପ୍ରତିଶତ ଅର୍ଥ ବିନିଯୋଗ କରାଯାଇପାରିବ ।