ଭୁବନେଶ୍ୱର: ରାଜ୍ୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ରାଜପଥରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଚ ମ୍ୟାନେଜମେଣ୍ଟ ସିଷ୍ଟମ ବା ଆଇଇଏମଏସର ସଂପ୍ରସାରଣ କରାଯିବ । ଆଗକୁ ନିର୍ମାଣ ହେବାକୁ ଥିବା ନୂତନ ରାଜପଥ ଓ ରାସ୍ତାରେ ବ୍ଲାକ୍ ସ୍ପଟ୍ ଚିହ୍ନଟ ଓ ସଂଶୋଧନ ପ୍ରକ୍ରିୟା ହେବା ତ୍ୱାରାନ୍ୱିତ ହେବା ସହିତ ସଡ଼କରେ କ୍ୟାମେରା ସଂଖ୍ୟା ବଢ଼ାଇବା ସହିତ ଶୂନ୍ୟ ଦୁର୍ଘଟଣା ଦିବସ ପାଳନ କରାଯିବ ।ଖାରବେଳ ଭବନରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଆବଶ୍ୟକୀୟ ପଦକ୍ଷେପ ସଂପର୍କରେ ଆଲୋଚନା କରି ସେ ଦିଗରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବେପରୁଆ ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ବୈଷୟିକ ଜ୍ଞାନକୌଶଳ ସଂପନ୍ନ ଏନଫୋର୍ସମେଣ୍ଟ ଉପରେ ବାଣିଜ୍ୟ ଓ ପରିବହନ ବିଭାଗ ଗୁରୁତ୍ୱ ଦେଇଛି । ସଡ଼କ ଦୁର୍ଘଟଣାର ବିଭିନ୍ନ କାରଣ ମଧ୍ୟରୁ ତ୍ରୁଟିପୂର୍ଣ୍ଣ ରୋଡ୍ ଇଂଜିନିୟରିଂ ସଂପର୍କରେ ଆଲୋଚନା ହୋଇଛି । ସମସ୍ୟାର ସୁଧାର ପାଇଁ ସଡ଼କ ନିର୍ମାଣ ସମୟରେ ସମସ୍ତ ମାନକକୁ ସଠିକ ଭାବରେ ପାଳନ କରାଯାଉଛି କି ନିୟମିତ ସମୀକ୍ଷା ସହ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି।
ଦୁର୍ଘଟଣାପ୍ରବଣ ଅଞ୍ଚଳ ତଥା ବ୍ଲାକସ୍ପଟ ଚିହ୍ନଟ କରି ଏହାର ସୁଧାର ଦିଗରେ ତ୍ୱରିତ କାର୍ଯ୍ୟ କରାଯିବ । ଏହାସହ ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ । ଏ ସଂକ୍ରାନ୍ତରେ ପ୍ରତି ମାସ ଜାତୀୟ ରାଜପଥ ପ୍ରାଧିକରଣ ଓ ରାଜ୍ୟ ପରିବହନ ପ୍ରାଧିକରଣ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ ।
ଭୁବନେଶ୍ୱର ସମେତ ରାଉରକେଲା, ବ୍ରହ୍ମପୁର, ପୁରୀ, ସମ୍ବଲପୁର ସହରର ସଡ଼କ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ କଡ଼ା ନଜର ରଖିବାକୁ ରାସ୍ତାରେ କ୍ୟାମେରା ସଂଖ୍ୟା ବୃଦ୍ଧି କରାଯିବ । ମୋ ବସ୍ ଓ ଓଏସଆରଟିସିର ଚାଳକମାନଙ୍କୁ ନିୟମିତ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ବସରେ ADAS ଲଗାଇବା କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ।
ସଡ଼କରେ ଗାଡ଼ି ଚଲାଇବାକୁ ଦକ୍ଷ ଚାଳକଙ୍କୁ ଅନୁମତିକୁ ସୁନିଶ୍ଚିତ କରିବାକୁ ଏଲଏଲ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାରେ ତିନି ପର୍ଯ୍ୟାୟ ପରୀକ୍ଷା କରିବାକୁ ପ୍ରସ୍ତାବ ରହିଛି । ସେହିଭଳି ନିୟମିତ ସଡ଼କ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମଧ୍ୟ କଠୋର ପଦକ୍ଷେପ ଗ୍ରହଣ କରାଯିବ । ଶୂନ୍ୟ ଦୁର୍ଘଟଣା ଦିବସ ପାଳନ କରାଯିବ । ପ୍ରଥମେ ଏହା ଭୁବନେଶ୍ୱରରୁ ଆରମ୍ଭ କରାଯିବ ।ସଡ଼କ ଦୁର୍ଘଟଣା ତଥ୍ୟ ପ୍ରସ୍ତୁତିରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା, ଦୁର୍ଘଟଣାଗ୍ରସ୍ତଙ୍କ ଉନ୍ନତ ଚିକିତ୍ସା ପାଇଁ ଟ୍ରମା କେୟାର ଭିତ୍ତିଭୂମି, ଇ-ଚାଲାଣ, ସୁବାହକ ପ୍ରଶିକ୍ଷଣ, ମୋଟରଯାନ ଆଇନରେ ସଂଶୋଧନର ସଂପର୍କରେ ଆଲୋଚନା କରାଯାଇଛି ।
ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଗଠନମୂଳକ ମତାମତ ରଖିଥିଲେ । ସୁପ୍ରିମକୋର୍ଟ କମିଟିଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ ସହ ଉଲ୍ଲେଖନୀୟ ଭାବରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଛି ।