ଭୁବନେଶ୍ୱର: ବାରବାଟୀ ଲାଇଟ୍ ବିଭ୍ରାଟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । କେହି କେହି କ୍ରୀଡ଼ା ମନ୍ତ୍ରୀଙ୍କୁ ଦାୟୀ କରୁଥିବାବେଳେ କେହି ଶକ୍ତି ବିଭାଗ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏମିତିକି ବିରୋଧୀ ବିଜୁ ଜନତା ଦଳର ମୁଖପାତ୍ର କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି । ଏହାରି ମଧ୍ୟରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ଶକ୍ତି ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଆଜି ପୂର୍ବ ସରକାରର କଳା କରାନାମାକୁ ନେଇ ଖୁବ ବର୍ଷିଛନ୍ତି ।
କେଭି ସିଂଦେଓ ସର୍ବପ୍ରଥମେ ସ୍ପଷ୍ଟ କରିଛନ୍ତି ଯେ ବାରବାଟୀରେ ଲାଇଟ୍ ବନ୍ଦ ହୋଇଯିବାରେ ଟାଟା ପାୱାର କୌଣସି ଭୂମିକା ନାହିଁ । ସେଠାରେ ଜେନେରେଟରରେ ଚାଲିଥିଲା ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ବାରବାଟୀ ଲାଇଟ ବନ୍ଦ ହେବାରେ ଟାଟା ପାୱାରର କିଛି ଭୂମିକା ନାହିଁ । ଗୋଟେ ଟାୱାରର ପାୱାର ଚାଲିଗଲା । ସେଇଟା ଷ୍ଟାଡିୟମ ଜେନେରେଟରରୁ ପରିଚାଳିତ ହୁଏ, ମେସିନ ଫେଲ କଲା । ଓସିଏ ତଦନ୍ତ କରିବାକୁ କହିଛି । ୧୦ ଦିନ ଭିତରେ ରିପୋର୍ଟ ଦେବେ ।
ତେବେ ଯେଉଁ ରାଜନୈତିକ ଦଳ ପ୍ରଶ୍ନ କରୁଛି ତାଙ୍କ ସରକାରର ଇତିହାସ ମନେ ପକାଇଦେଇଛନ୍ତି ଶ୍ରୀ ସିଂହ ଦେଓ । ସେ କହିଛନ୍ତି ଯେ ଯେଉଁ ରାଜନୈତିକ ଦଳ ପ୍ରଶ୍ନ କରୁଛି, ଟିକେ ମନେ ପକାନ୍ତୁ ରାଷ୍ଟ୍ରପତିଙ୍କ ବାରିପଦା ଗସ୍ତ କାର୍ଯ୍ୟକ୍ରମରେ ଲାଇଟ୍ କଟି ଯାଇଥିଲା । ସେତେବେଳେ ଜେନେରେଟର୍ ବ୍ୟବସ୍ଥା ନୁହେଁ ବରଂ ସରକାରୀ ବିଦ୍ୟୁତ ସପ୍ଲାଇ ଥିଲା । ସେତେବେଳେ କଣ ହେଲା ଆଜିଯାଏଁ ସ୍ପଷ୍ଟୀକରଣ ମିଳିନି । ତେଣୁ ଥରେ ଅନ୍ୟକୁ ପଚାରିବା ପୂର୍ବରୁ ନିଜକୁ ଦେଖନ୍ତୁ ବୋଲି କହିଛନ୍ତି କେଭି ସିଂଦେଓ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୯ ତାରିଖରେ ବାରବାଟୀରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ଚାଲିଥିବାବେଳେ ହଠାତ୍ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯାଇଥିଲା । ଫଳରେ ୩୦ ମିନିଟ୍ ପର୍ଯ୍ୟନ୍ତ ଖେଳ ବନ୍ଦ ହୋଇଯାଇଥିଲା । କ୍ରିକେଟ୍ ମ୍ୟାଚ୍ ପରିଚାଳନା ଦାୟିତ୍ୱ ସମ୍ପୂର୍ଣ୍ଣଭାବେ ଓସିଏର ଥିବାବେଳେ ବିଜେଡ଼ି କିନ୍ତୁ ରାଜ୍ୟ ସରକାରଙ୍କୁ ଅନେକ ସମାଲୋଚନା କରୁଛି ।
କହି ରଖିବାକୁ ଚାହୁଁଛୁ, ୨୦୨୩ ନଭେମ୍ବର ୬ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ମହାବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ଦେଉଥିବାବେଳେ ହଠାତ୍ ବିଦ୍ୟୁତ ଚାଲି ଯାଇଥିଲା । ପୂର୍ବାହ୍ନ ୧୧.୫୬ରୁ ୧୨ଟା ୦୫ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଏହା ପରେ ଜେନେରେଟର୍ ଚାଲୁ ହେବା ଦ୍ୱାରା ଲାଇଟ୍ ଆସିଥିଲା ।
ସେହିପରି ୨୦୨୩ ନଭେମ୍ବର ୨୫ ତାରିଖରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସଭାରେ ମଧ୍ୟ ଲାଇଟ୍ ଚାଲି ଯାଇଥିଲା । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କଳିଙ୍ଗ ପୁସ୍ତକ ମେଳାରେ ଲେଖକ, ସାହିତ୍ୟିକ, ଭାଷାବିତ୍ ଓ ସମାଜସେବୀଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ଜାତୀୟ ସଙ୍ଗୀତ ଗାନ କରାଯାଉଥିବାବେଳେ ହଠାତ୍ ଲାଇନ କଟିଯାଇଥିଲା । ଚାରିଆଡ଼େ ଅନ୍ଧକାର ଯାଇଥିଲା। କିଛି ସମୟ ପରେ ଆୟୋଜକଙ୍କ ପକ୍ଷରୁ ଟେବୁଲ ଲ୍ୟାମ୍ପର ବ୍ୟବସ୍ଥା କରାଯାଇଥିଲା । ପରେ ଜେନେରେଟର୍ ଚାଲିବାରୁ ବିଦ୍ୟୁତ ଆସିଥିଲା।