ଭୁବନେଶ୍ୱର: ଦୀର୍ଘ ଦିନ ଆଲୋଚନା ଓ ପର୍ଯ୍ୟାଲୋଚନାର ଅନ୍ତ ଘଟିଛି । ଶେଷରେ ରାଜ୍ୟ କଂଗ୍ରେସକୁ ମିଳିଛି ମୁଖିଆ । ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କ ନାଁରେ ମୋହର ମାରିଛି ଅଖିଳ ଭାରତୀୟ ଜାତୀୟ କଂଗ୍ରେସ । ଭକ୍ତ ଦାସ ହୋଇଛନ୍ତି ପ୍ରଦେଶ କଂଗ୍ରେସ କମିଟିର ନୂତନ ସଭାପତି । ଏ ନେଇ ଏଆଇସିସି ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି ।
ପିସିସି ସଭାପତି ଦାୟିତ୍ୱ ଦେଇଥିବାରୁ ଭକ୍ତ ଦାସ ଜାତୀୟ କଂଗ୍ରେସକୁ ଧନ୍ୟବାଦ ଜଣାଇଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କ ଉପରେ ଭରସା କରିଥିବାରୁ କଂଗ୍ରେସର ସମସ୍ତ ଶୀର୍ଷ ନେତୃତ୍ୱଙ୍କୁ ଧନ୍ୟବାଦ । ସମସ୍ତଙ୍କୁ ନେଇ କାମ କରିବି । ବ୍ୟାପକ ସଙ୍ଗଠାନତ୍ମକ କାମ କରିବି ।
୬୬ ବର୍ଷୀୟ ଭକ୍ତ ଦାସ ରାଜ୍ୟ କଂଗ୍ରେସର ଜଣେ ଟାଣୁଆ ଓ ପୁରୁଖା ନେତା ।୧୯୮୫ ମସିହାରେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକଭାବେ ନିର୍ବାଚିତ ହୋଇଥିଲେ । ସେହିପରିଭାବେ କଳାହାଣ୍ଡି ଲୋକସଭା ଆସନରୁ ତିନି ତିନି ଥର ସାଂସଦ ରହି ସାରିଛନ୍ତି । ୧୯୮୯, ୧୯୯୬ ଓ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ନବମ, ଏକାଦଶ ଏବଂ ପଞ୍ଚଦଶ ଲୋକସଭାରେ ସାଂସଦ ରହିସାରିଛନ୍ତି । ଏହା ସହିତ ସେ କେନ୍ଦ୍ର ଉପ ମନ୍ତ୍ରୀ ଥିଲେ । କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗରେ ଉପ ମନ୍ତ୍ରୀ ଏବଂ ରେଳ ବିଭାର ରାଷ୍ଟ୍ର ମନ୍ତ୍ରୀ ଥିଲେ । ରାଜନୈତିକ ଜୀବନ ଆରମ୍ଭରୁ ସେ ପ୍ରଥମେ ଜନତା ଦଳରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ।
ଅଧିକ ପଢ଼ନ୍ତୁ- ଜେଇଇ ମେନ୍ ଫଳାଫଳ ପ୍ରକାଶିତ, ୧୪ ଜଣ ରଖିଛନ୍ତି ଶତ ପ୍ରତିଶତ ନମ୍ବର, ୨୬ ନମ୍ବରରେ ଓଡ଼ିଶାର ନବନୀତ