ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଭୁବନେଶ୍ୱର ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଏ ନେଇ କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସ ପକ୍ଷରୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଚଳିତ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ଫେବୃଆରୀ ୧୩ରୁ ୨୧ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ ତାରିଖରୁ ଏପ୍ରିଲ୍ ୫ ତାରିଖ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ଚାଲିବ । ଏହି ସମୟରେ ବିଧାନସଭା ପରିସରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବା ସହିତ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ତେବେ ଜରୁରୀକାଳୀନ ସେବା ଯଥା ପୋଲିସ, ଅଗ୍ନିଶମ ଓ ଆମ୍ବଲାନ୍ସ ଏବଂ ବିଧାନସଭା, ସଚିବାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଯିବାକୁ ଥିବା ଗାଡ଼ି ପାଇଁ କଟକଣା ଲାଗୁ ହେବ ନାହିଁ । ଏହା କେବଳ ବିଧାନସଭା ଅଧିବେଶନ ଚାଲୁଥିବା ସମୟ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଏହି ସମୟରେ କେଉଁ ରାସ୍ତାରେ ଯିବେ ଜାଣି ରଖନ୍ତୁ...
• ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନଗୁଡ଼ିକ କେଶରୀ ଟକୀଜ୍ ଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ।
• ଏ.ଜି ଛକ ପଟୁ ପି.ଏମ୍.ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଜୟଦେବଭବନ ପାଖରେ ଡାହାଣ ପାର୍ଶ୍ୱରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ଯିବେ ।
• ମାଷ୍ଟର କ୍ୟାଣ୍ଟିନ୍ ଛକ ପଟୁ ଆସୁଥିବା ସମସ୍ତ ଯାନବାହାନଗୁଡ଼ିକ ଲୋୟର ପି.ଏମ୍.ଜି ଛକଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଯାଇପାରିବେ ।
• ୧୨୦ ବାଟାଲିୟନ୍ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଗାଡ଼ି ପାୱାର ହାଉସ୍ ଛକ୍ତ ଦେଇ ଯିବେ ।
• ରାଜଭବନ ଛକ ପଟୁ ଏମ୍.ଏଲ୍.ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଗାଡ଼ିଗୁଡ଼ିକ ଶାସ୍ତ୍ରୀ ନଗର ଛକ ଆଡ଼କୁ ଯିବେ ।