ଭୁବନେଶ୍ୱର: ଚଳିତ ବର୍ଷ ଜଏଣ୍ଟ ଏଣ୍ଟ୍ରାନସ୍ ଏକ୍ସାମିନେସନ୍ ବା ଜେଇଇରେ ପୁଅମାନେ ବାଜିମାତ କରି ନେଇଛନ୍ତି । ନାସନାଲ୍ ଟେଷ୍ଟିଂ ଏଜେନ୍ସି ବା NTA ଦ୍ୱାରା ପରିଚାଳିତ ଜଏଣ୍ଟ ଏଣ୍ଟ୍ରାନସ୍ ଏକ୍ସାମିନେସନ୍ ବା ଜେଇଇ ମେନ୍ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି । ମୋଟ ୧୪ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ନମ୍ବର ରଖି କୃତକାର୍ୟ୍ୟ ହୋଇଛନ୍ତି । ଯେଉଁଥିରେ ୧୩ ଜଣ ପୁଅ ଏବଂ ଜଣେ ଝିଅ ଅଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ରାଜସ୍ଥାନର ଅଟନ୍ତି । ସେହିପରି ୪୪ ଜଣ ୯୦ ପ୍ରତିଶତ ନମ୍ବର ରଖିଛନ୍ତି । ତେବେ ଓଡ଼ିଶାର ନବନୀତ ପ୍ରିୟଦର୍ଶୀ ୨୬ ନମ୍ବର ସ୍ଥାନରେ ରହିଛନ୍ତି ।
ଏନଟିଏର ତଥ୍ୟ ଅନୁଯାୟୀ, ଚଳିତ ଥର ୧୩ ଲକ୍ଷ ୭୮ ହଜାର ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବାବେଳେ ୧୨ ଲକ୍ଷ ୫୮ ହଜାର ପିଲା ଜେଇଇ ମେନ୍ ସେସନ-୧ ପରୀକ୍ଷା ଦେଇଥିଲେ । ମୋଟ ୨ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ କୃତକାର୍ୟ୍ୟ ହୋଇଛନ୍ତି । ତେବେ ଏକା ସାଙ୍ଗରେ ସମସ୍ତ ଫଳାଫଳ ପାଇଁ ଲିଙ୍କ୍ ଖୋଲିଥିବାରୁ କିଛି ସମୟ ପରେ ଲିଙ୍କ୍ ଫେଲ୍ ହୋଇଥିବା ଦେଖାଯାଇଛି ।
ଜାନୁୟାରୀ ୨୨, ୨୩, ୨୪, ୨୮ ଓ ୨୯ ତାରିଖରେ ଦୁଇଟି ସିଫ୍ଟରେ ଜେଇଇ ମେନ୍ ସେସନ୍-୧ର ପେପର୍-୧ (BE/BTech) ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଜାନୁୟାରୀ ୩୦ ତାରିଖରେ ପେପର୍-୨ ପରୀକ୍ଷା ହୋଇଥିଲା ।