ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ଶକ୍ତି ସପ୍ତାହକୁ ସମ୍ବୋଧିତ କରିଛନ୍ତି । ମୋଦି ଏବେ ଫ୍ରାନ୍ସ ଗସ୍ତରେ ଥିବା ବେଳେ ଆଜି ଇଣ୍ଡିଆ ଏନର୍ଜି ଓ୍ବିକରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଛନ୍ତି, ‘ବିକଶିତ ଭାରତ ପାଇଁ ଆଗାମୀ ୨୦ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ଏବେ ତୀବ୍ର ଗତିରେ ଆଗକୁ ବଢୁଛି । ଗତ ୧୦ ବର୍ଷରେ ୫ମ ବୃହତମ ଅର୍ଥନୀତିରେ ପରିଣତ ହୋଇଛି ଭାରତ । ଆଗକୁ ଏନର୍ଜି କ୍ଷେତ୍ରରେ ମଧ୍ୟ ଦେଶର ଅନେକ ସମ୍ଭାବନା ରହିଛି’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ମୋଦି କହିଛନ୍ତି, ଭାରତ କେବଳ ନିଜର ଅଭିବୃଦ୍ଧିକୁ ନୁହେଁ ବରଂ ବିଶ୍ବର ଅଭିବୃଦ୍ଧିକୁ ମଧ୍ୟ ଆଗେଇ ନେଉଛି । ଏଥିରେ ଆମ ଦେଶର ଶକ୍ତି କ୍ଷେତ୍ରର ବଡ ଭୂମିକା ରହିଛି । ଭାରତର ଶକ୍ତି ମହତ୍ବାକାଂକ୍ଷା ୫ଟି ସ୍ତମ୍ଭ ଉପରେ ଛିଡା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । ଏହାକୁ ନେଇ ସେ ୫ଟି ସ୍ତମ୍ଭର ଉଦାହରଣ ଦେଇ ସେ କହିଛନ୍ତି, ପ୍ରଥମତଃ ଆମ ପାଖରେ ସମ୍ବଳ ରହିଛି, ଯାହାକୁ ଆମେ ବ୍ୟବହାର କରୁଛୁ । ଦ୍ବିତୀୟତଃ ଆମେ ଆମର ଜ୍ଞାନ କୌଶଳକୁ ମଧ୍ୟ ଆହୁରି ଇନୋଭେଟ୍ କରିବା ପାଇଁ ପ୍ରୋତ୍ସାହିତ କରୁଛୁ । ତୃତୀୟତଃ ଆମର ଆର୍ଥିକ ଏବଂ ରାଜନୈତିକ ସ୍ଥିରତା ରହିଛି । ଚତୁର୍ଥତଃ, ଭାରତ ପାଖରେ ଏକ ରଣନୈତିକ ଭୈଗୋଳିକ ସ୍ଥିତି ଅଛି, ଯାହା ବାଣିଜ୍ୟକୁ ଆହୁରି ଅଧିକ ଆକର୍ଷଣୀୟ ଏବଂ ସହଜ କରିଦେଇଛି । ଶେଷରେ ଭାରତ ବିଶ୍ବସ୍ତରୀୟ ସ୍ଥିରତା ପ୍ରତି ପ୍ରତିବଦ୍ଧ, ଯାହା ଭାରତର ଶକ୍ତି କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରୁଛି ।
ଅଧିକ ପଢନ୍ତୁ: ଫ୍ରାନ୍ସ ପହଞ୍ଚିଲେ ପିଏମ ମୋଦୀ, ହେଲା ଭବ୍ୟ ସ୍ୱାଗତ; ମାକ୍ରୋନଙ୍କ ସହ କରିବେ ଆଲୋଚନା
ଏହାବ୍ୟତୀତ ମୋଦୀ ଆହୁରି ମଧ୍ୟ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଭାରତ ୫ମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ସୌର ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଭାରତର କ୍ଷମତାକୁ ଦ୍ବିଗୁଣିତ କରାଯାଇଛି । ଆଜି ସୌର ଉତ୍ପାଦନ କରିବାରେ ଭାରତ ତୃତୀୟ ବୃହତ୍ତମ ରାଷ୍ଟ୍ର ବନିପାରିଛି । ଆମର ଅଣଜୀବାଶ୍ମ ଇନ୍ଧନ ଶକ୍ତି ମଧ୍ୟ ତିନି ଗୁଣ ବୃଦ୍ଧି ପାଇଛି । ପ୍ୟାରିସ୍ ଜି-୨୦ ଚୁକ୍ତିର ଲକ୍ଷ୍ୟ ପୂରଣ କରିବାରେ ଭାରତ ପ୍ରଥମ ଦେଶ ବୋଲି କହି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୋଦି ।