ଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଫଳାଫଳ ବାହାରିବା ୩ ଦିନ ବିତିଲାଣି । ହେଲେ ଏଯାବତ୍ ଦିଲ୍ଲୀରେ କିଏ ହେବ ମୁଖ୍ୟମନ୍ତ୍ରୀ ତାହା ବିଜେପି ନେତୃବୃନ୍ଦ ଘୋଷଣା କରିନାହାନ୍ତି । ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ ସରକାର ଗଢିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ କିଏ ହେବ ସେଥିପାଇଁ ଅନେକ ନାଁକୁ ନେଇ ଚର୍ଚ୍ଚା ହେଉଛି । କେଜ୍ରିୱାଲଙ୍କୁ ହରାଇଥିବା ବିଜେପି ନେତା ପରବେଶ ବର୍ମା, ପୂର୍ବତନ ଦିଲ୍ଲୀ ବିଜେପି ମୁଖ୍ୟ ସତୀଶ ଉପାଧ୍ୟାୟ, ବରିଷ୍ଠ ବିଜେପି ନେତା ବୀଜେନ୍ଦ୍ର ଗୁପ୍ତା, ନବନିର୍ବାଚିତ ବିଧାୟକ ଆଶିଷ ସୁଦ୍ ଏବଂ ଉତ୍ତମ ନଗର ବିଧାୟକ ପୱନ ଶର୍ମାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ପୁଣି ଜଣେ ମହିଳା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ନେଇ ଜୋର ଧରିଛି ଚର୍ଚ୍ଚା । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ତାଲିକାର ଆଗରେ ରହିଛନ୍ତି ୪ ବିଧାୟିକା।
ଅଧିକ ପଢନ୍ତୁ: ଦିଲ୍ଲୀ ପରେ ପଞ୍ଜାବ ବି ହାତରୁ ଖସିବ ? ବିଧାୟକଙ୍କ ମିଟିଂ ଡକାଇଲେ କେଜ୍ରିୱାଲ
ବିଜେପିର ନବନିର୍ବାଚିତ ୪୮ ବିଧାୟକଙ୍କ ମଧ୍ୟରେ ୪ଜଣ ମହିଳା ବିଧାୟିକା ରହିଛନ୍ତି । ସେମାନେ ହେଲେ ନୀଲମ ପହଲୱାନ, ରେଖା ଗୁପ୍ତା, ପୁନମ ଶର୍ମା, ଏବଂ ଶିଖା ରାୟ । ଏହି ୪ଜଣ ମହିଳା ବିଧାୟକଙ୍କ ମଧ୍ୟରୁ ବିଜେପି ଜଣଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇପାରେ । ନୀଲମ ପହଲୱାନ ନଜଫାଗଡ଼ ଆସନରୁ ପ୍ରଥମ ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ରେଖା ଗୁପ୍ତା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଙ୍ଗଠନର ପୂର୍ବତନ ସଭାପତି, ପୁନମ ଶର୍ମା ୱାଜିରପୁରର ଏବଂ ଶିଖା ରାୟ ବରିଷ୍ଠ ଆପ୍ ନେତା ଏବଂ ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କୁ ହରାଇଛନ୍ତି ।