ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଇଲେକ୍ଟ୍ରୋନିକ ଭୋଟିଂ ମେସିନ(ଇଭିଏମ)ରେ ସଂରକ୍ଷିତ ନିର୍ବାଚନୀ ତଥ୍ୟକୁ ସଂପ୍ରତି ନଷ୍ଟ ନ କରିବାକୁ କହିଛନ୍ତି। ନିର୍ବାଚନ ପରେ ଇଭିଏମ ଯାଞ୍ଚ ସଂପର୍କିତ ଏକ ମାମଲାର ଶୁଣାଣି ସମୟରେ କୋର୍ଟ ଏହି ବଡ଼ ଆଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନାଙ୍କ ନେତୃତ୍ଵାଧୀନ ପୀଠ କହିଛନ୍ତି ସଂପ୍ରତି ଇଭିଏମରୁ କୌଣସି ତଥ୍ୟ ହଟାନ୍ତୁ ନାହିଁ କି ସେଥିରେ ନୂଆ ଡାଟା ଲୋଡ୍ କରନ୍ତୁ ନାହିଁ।
କୋର୍ଟ ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ କରିଛନ୍ତି ଯେ, ମତଦାନ ସରିବା ପରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ପାଇଁ ମାନକ ସଞ୍ଚାଳନ ପ୍ରକ୍ରିୟା କଣ ରହିଛି ? ଏବେ ନିର୍ବାଚନ ଆୟୋଗଙ୍କୁ ନିର୍ବାଚନ ପରେ ଇଭିଏମ ମେମୋରୀ ଓ ମାଇକ୍ରୋକଣ୍ଟ୍ରୋଲରକୁ ଜଳାଇବା ପ୍ରକ୍ରିୟା ବିଷୟରେ ଅଦାଲତକୁ ସୂଚନା ଦେବାକୁ ହେବ। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ୍ସର ଏକ ଯାଚିକାରେ ଦାବି କରାଯାଇଥିଲା ଯେ, ଭୋଟ୍ ଗଣତି ସମାପ୍ତ ହେବା ପରେ ବି ମେସିନରେ ଥିବା ଡାଟାକୁ ନଷ୍ଟ ନ କରାଯାଉ।
ସିଜେଆଇ ଖନ୍ନା କହିଛନ୍ତି ଯେ, ଏହା ବିରୋଧାତ୍ମକ ନୁହେଁ। ଯଦି ପରାଜିତ ପ୍ରାର୍ଥୀ ସ୍ପଷ୍ଟୀକରଣ ଚାହୁଁଛି ତେବେ ଇଞ୍ଜିନିୟର ସ୍ପଷ୍ଟୀକରଣ ଦେଇ ପାରିବେ ଯେ, ଇଭିଏମରେ କୌଣସି ଟାମ୍ପରିଂ ହୋଇ ନାହିଁ। ଯାଚିକାରେ ଦାବି କରାଯାଇଛି ଯେ, ଇଭିଏମରେ ପୋଡ଼ି ଯାଇଥିବା ମେମୋରୀ ଓ ମାଇକ୍ରୋକଣ୍ଟ୍ରୋଲରକୁ ପେଶାଦାର ଇଞ୍ଜିନିୟର ଦ୍ଵାରା ଯାଞ୍ଚ କରାଯାଉ ଯେ, ଇଭିଏମ ସହ କୌଣସି ପ୍ରକାରର ଟାମ୍ପରିଂ ହୋଇନି।