ମହାକୁମ୍ଭ ସହର: ଯଦି ଆପଣ ହେଲିକପ୍ଟର ଯୋଗେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମ ଗାଧୋଇବାକୁ ଯିବାକୁ ଚାହୁଁଛନ୍ତି ତେବେ ବିମାନବନ୍ଦରରୁ ହେଲିକପ୍ଟର ସେବା ରହିଛି। ଭଡ଼ା ଜଣପିଛା ୩୫ ହଜାର ଟଙ୍କା ରହିଛି। ଯାତ୍ରୀମାନେ ବିମାନବନ୍ଦରରୁ ସିଧାସଳଖ ସଙ୍ଗମରେ ପହଞ୍ଚିବେ। ଏଥିପାଇଁ www.flyola.in ୱେବସାଇଟରେ ବୁକିଂ କରାଯାଉଛି। କମ୍ପାନୀ ଏକ ହେଲ୍ପଲାଇନ ନମ୍ବର (୧୮୦୦୩୦୯୦୫୦୩) ମଧ୍ୟ ଜାରି କରିଛି। ଏହି ନମ୍ବରରେ କଲ୍ କରି ସୂଚନା ମିଳିପାରିବ। ଉତ୍ତର ପ୍ରଦେଶ ଇକୋ ଟୁରିଜିମ୍ ଡେଭଲପମେଣ୍ଟ ବୋର୍ଡ ଏବଂ ଫ୍ଲାଇ ଓଲା ଏହି ବିମାନ ପାଇଁ ପ୍ରସ୍ତାବ ଦେଇଛନ୍ତି। ସକ୍ଷମ ଶ୍ରଦ୍ଧାଳୁମାନେ ଏହି ସୁବିଧାର ଫାଇଦା ନେଇ ବିନା ଚାଲି ଚାଲି ଏବଂ ଟ୍ରାଫିକ୍ ରେ ଫସି ନ ରହି ସଙ୍ଗମ ସ୍ନାନ କରିପାରିବେ। ତେବେ ଏଥିପାଇଁ ଯାତ୍ରୀଙ୍କୁ ଆଗୁଆ ବୁକିଂ କରିବାକୁ ପଡିବ।
ଫ୍ଲାଇ ଓଲା ଗ୍ରୁପର ସିଇଓ କ୍ୟାପଟେନ୍ ଆର୍ ଏସ୍ ସେହଗଲ କହିଛନ୍ତି ଯେ ହେଲିକପ୍ଟର ପ୍ରୟାଗରାଜ ବିମାନବନ୍ଦରରୁ ସିଧାସଳଖ ବୋଟ୍ କ୍ଲବ୍ ହେଲିପ୍ୟାଡ୍ କୁ ଯିବ। ପରବର୍ତ୍ତୀ ଯାତ୍ରା ଡଙ୍ଗା ଯୋଗେ ସମ୍ପନ୍ନ ହେବ। ଯାତ୍ରୀଙ୍କୁ ଯମୁନା ନଦୀରୁ ସଙ୍ଗମସ୍ଥଳକୁ ନିଆଯିବ ଏବଂ ଗାଧୋଇବା ପରେ ହେଲିକପ୍ଟର ଯୋଗେ ବିମାନ ବନ୍ଦରକୁ ଫେରାଇ ଦିଆଯିବ।
ଏହାବ୍ୟତୀତ ହେଲିକପ୍ଟରରେ ୧୨୦୦ ଟଙ୍କାରେ ଆନନ୍ଦ ଯାତ୍ରାର ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନଙ୍କୁ ଆକାଶମାର୍ଗରୁ ସଙ୍ଗମସ୍ଥଳ ବୁଲିବାକୁ ନିଆଯିବ। ଏହି ପ୍ୟାକେଜ୍ ୪ରୁ ୫ ଘଣ୍ଟା ପାଇଁ ଡିଜାଇନ୍ କରାଯାଇଛି। ଅର୍ଥାତ୍ ମାତ୍ର କିଛି ଘଣ୍ଟା ମଧ୍ୟରେ ସଙ୍ଗମ ସ୍ନାନ ଓ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ଯାତ୍ରା ସମ୍ପନ୍ନ ହେବ।
ସୂଚନାଯୋଗ୍ୟ, ସୁରକ୍ଷା ଦୃଷ୍ଟିରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିବା ପରେ ଡଙ୍ଗା ଚଳାଚଳ ବନ୍ଦ ହୋଇଯାଇଥିବାରୁ ବହୁ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯେଉଁମାନେ ଆଗୁଆ ବୁକିଂ କରିଥିଲେ ସେମାନେ ମଧ୍ୟ ନିରାଶ ହୋଇଥିଲେ। ଶେଷରେ ସେମାନେ ଘାଟରେ ହିଁ ଗାଧୋଇଥିଲେ। କିଲାଘାଟ, ବୋଟ୍ କ୍ଲବ୍, ବାଲୁଘାଟ, ଅରଳ ଓ ଅନ୍ୟାନ୍ୟ ଘାଟରେ ଡଙ୍ଗା ମୁତୟନ ରହିଥିଲା। ସନ୍ଧ୍ୟା ୫ଟା ପରେ ପୁଣି ଅପରେସନ୍ ଆରମ୍ଭ ହୋଇଥିଲା। ତେବେ ଖରା ଯୋଗୁଁ ପେଡଲ ଡଙ୍ଗା ଚଳାଚଳ ହୋଇପାରିନଥିଲା।