ମୁମ୍ବାଇ: ବହୁ ପରିଚିତ ସୋସିଆଲ୍ ମିଡିଆ ଇନଫ୍ଲ୍ୟଏନ୍ସର୍ ତଥା ୟୁଟ୍ୟୁବର୍ ରଣବୀର ଆଲ୍ଲାବାଦିଆ ଅଭିଭାବକଙ୍କ ଉପରେ ଅଶ୍ଳୀଳ ଟିପ୍ପଣୀ ଦେବା ପରେ ୟୁଟ୍ୟୁବ୍ (YouTube) ପଦକ୍ଷେପ ଗ୍ରହଣ କରିଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ୟୁଟ୍ୟୁବ୍ ରଣବୀରଙ୍କ ବିବାଦୀୟ ମନ୍ତବ୍ୟ ଭିଡ଼ିଓକୁ ହଟାଇ ଦେଇଛି । ରଣବୀର ଯୋଗ ଦେଇଥିବା ଏପିସୋଡକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନୋଟିସ୍ ପରେ ୟୁଟ୍ୟୁବ୍ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।
ରଣବୀର ଆଲ୍ଲାବାଦିଆ ‘ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ୍’ (India's Got Latent) ନାମକ ଏକ ଶୋରେ ଅତିଥିଭାବେ ଯୋଗ ଦେବା ଅବସରରେ ଅଭିଭାବକଙ୍କ ଉପରେ ଅଶ୍ଳୀଳ ଟିପ୍ପଣୀ ଦେଇଥିଲେ । କମେଡ଼ି ଶୋ ଚାଲୁଥିବାବେଳେ ଜଣେ ପ୍ରତିଯୋଗୀଙ୍କୁ ଅଭିଭାବକଙ୍କୁ ନେଇ ଅଶୋଭନୀୟ ପ୍ରଶ୍ନ ପଚାରିଥିଲେ । ସେ ପଚାରିଥିଲେ ଯେ, କଣ ଆପଣ ନିଜ ଅଭିଭାବକଙ୍କୁ ପୂରା ଜୀବନ, ପ୍ରତି ଦିନ ସେକ୍ସ କରୁଥିବା ଦେଖିବାକୁ ଚାହିଁବେ ? କିମ୍ବା ଥରୁଟିଏ ଅଭିଭାବକଙ୍କ ନିବିଡ଼ ସଂପର୍କକୁ ଦେଖି ପରେ ଉଭୟଙ୍କୁ ସେକ୍ସ କରୁଥିବା ଦେଖିବାକୁ ଚାହିଁବେ ନାହିଁ । ରଣବୀରଙ୍କ ପ୍ରଶ୍ନ ଶୁଣି ସେଠାରେ ବସିଥିବା ଦର୍ଶକ ଓ ବାକି ଜଜ ଜୋରରେ ହସିବାକୁ ଲାଗିଥିଲେ । ସେଠାରେ ବସିଥିବା ଅନ୍ୟ ବିଚାରପତିମାନେ ମଧ୍ୟ ଅତି ଅଶ୍ଳୀଳ ଭାଷାରେ ଉତ୍ତର ମଧ୍ୟ ଦେଉଥିଲେ ।
ଯାହାକୁ ନେଇ ସାରା ଦେଶରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ବିଭିନ୍ନ ସ୍ଥାନରେ ତାଙ୍କ ଗିରଫ କରାଯିବାକୁ ଦାବି ହେଉଛି । ଆସାମ ଏବଂ ମୁମ୍ବାଇରେ ଏକାଧିକ ପୋଲିସ ମାମଲା ରୁଜୁ ହୋଇଛି । ସେହିପରି ଆମାସ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଏ ନେଇ କ୍ଷୁବ୍ଧ ପ୍ରକାଶ କରିଥିଲେ ।
୩୧ ବର୍ଷୀୟ ରଣବୀର ଆଲ୍ଲାବାଦିଆଙ୍କର ଇନଷ୍ଟାଗ୍ରାମରେ ୪.୫ ମିଲିୟନ୍ ଭିୟୁର୍ସ ଥିବାବେଳେ ୟୁଟ୍ୟୁବରେ ୧.୫ କୋଟି ସବସ୍କ୍ରାଇବର୍ ଅଛନ୍ତି ।
ୟୁଟ୍ୟୁବର ଏକ୍ସରେ ଭିଡିଓ ସେୟାର କରି କ୍ଷମା ପ୍ରାର୍ଥନା ମଧ୍ୟ କରି ସାରିଛନ୍ତି । ମୋର କମେଣ୍ଟ ଅନୁଚିତ ଥିଲା। ଏଥିରେ ପରିହାସ ବି ନ ଥିଲା। ମୁଁ କେବଳ କ୍ଷମା ମାଗିବାକୁ ଚାହୁଁଛି । ଅନେକ ଲୋକ ପ୍ରଶ୍ନ କରିଛନ୍ତି ଯେ କଣ ଆପଣ ନିଜର ପ୍ଲାଟଫର୍ମକୁ ଏଭଳି ବ୍ୟବହାର କରିବେ ? ଏହାର ଉତ୍ତରରେ କହିବାକୁ ଚାହୁଁଛି ଯେ, ନିଜ ପ୍ଲାଟଫର୍ମର ଏମିତି ବ୍ୟବହାର କଦାପି କରିବି ନାହିଁ। ଯାହା କିଛି ଘଟିଗଲା, ତାହା ପାଇଁ ମୁଁ କଦାପି ତର୍କ କରିବି ନାହିଁ । ମୁଁ କେବଳ କ୍ଷମା ମାଗିବାକୁ ଚାହୁଁଛି। ଯାହା କିଛି କହିଛି ଆଦୌ ଗ୍ରହଣୀୟ ନୁହେଁ। ମୋର ପଡକାଷ୍ଟକୁ ସବୁ ବୟସର ଲୋକ ଦେଖନ୍ତି। ମୁଁ ଏମିତି ମଣିଷ ହେବାକୁ ଚାହୁଁନି ଯିଏ ଏହି ଦାୟିତ୍ଵକୁ ହାଲୁକାରେ ନେବ।