ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜୟ ପରେ ଆମ୍ ଆଦମୀ ପାର୍ଟିର ଭବିଷ୍ୟତ ଉପରେ ସଙ୍କଟର କଳାବାଦଲ ଛାଇ ଯାଇଛି । ଏହାକୁ ନେଇ ଯେଉଁ ଚର୍ଚ୍ଚା ଜାରି ରହିଛି, ତାହା କିଛି ମାତ୍ରାରେ ସତ ବୋଲି ସଙ୍କେତ ମିଳିଲାଣି । ବିଜେପି ଓ କଂଗ୍ରେସର ଅନେକ ନେତା କହିଲେଣି ଯେ, ପଞ୍ଜାବରେ ଆପ୍ ସରକାର ଶୀଘ୍ର ଭୁଶୁଡିପାରେ ।
ଏହା ମଧ୍ୟରେ ଆଜି ଅରବିନ୍ଦ କେଜ୍ରିୱାଲ ପଞ୍ଜାବର ସମସ୍ତ ବିଧାୟକଙ୍କ ସହିତ ବୈଠକ କରିବାକୁ ଯାଉଛନ୍ତି । ଦିଲ୍ଲୀ ନିର୍ବାଚନ ହାରିବା ପରେ ଅଚାନକ ପଞ୍ଜାବରେ ବିଧାୟକଙ୍କ ବୈଠକ ବସୁଛି । ଏହାକୁ ନେଇ ଆପ୍ ନେତାଙ୍କ କହିବା କଥା ଏହା ନିୟମିତ ମିଟିଂ । ମାତ୍ର କଂଗ୍ରେସ ଓ ବିଜେପି ନେତାଙ୍କ ଦୃଢୋକ୍ତି ଅନୁସାରେ ପଞ୍ଜାବରେ ଆପ୍ ଦଳରେ ଫାଟ ସୃଷ୍ଟି ହେଲାଣି ।
କଂଗ୍ରେସ ସାଂସଦ ତଥା ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ରାନ୍ଧୱା ସୋମବାର ଦାବି କରିଛନ୍ତି ଯେ, ପଞ୍ଜାବରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହୋଇପାରେ । କାରଣ ଦିଲ୍ଲୀରେ ଦଳର ପରାଜୟ ପରେ ଏବେ ଆମ ଆଦମୀ ପାର୍ଟିରୁ ବଡ ସଂଖ୍ୟାରେ ବିଧାୟକ ପାର୍ଟି ଛାଡି ଦେବେ । ଆପର ଅନେକ ବିଧାୟକ ଭିନ୍ନ ଭିନ୍ନ ଦଳ ସହ ଯୋଗାଯୋଗରେ ଅଛନ୍ତି । ସୁଖବିନ୍ଦର ଏହା ମଧ୍ୟ କହିଛନ୍ତି ଯେ, ମୁଁ କଂଗ୍ରେସର ହାଇକମାଣ୍ଡଙ୍କୁ ଅପିଲ୍ କରିବି ଯେ, ଆମେ ସେମାନଙ୍କ ବିଧାୟକ ଓ ମନ୍ତ୍ରୀଙ୍କୁ ନିଜ ଦଳରେ ସାମିଲ କରିବାଠୁ ନିବୃତ୍ତ ରହିବା ଉଚିତ୍ ।
କଂଗ୍ରେସର ବରିଷ୍ଠ ନେତା ତଥା ପଞ୍ଜାବରେ ବିରୋଧୀ ଦଳ ନେତା ପ୍ରତାପ ବାଜୱା ଏହା ମଧ୍ୟ କହିଛନ୍ତି ଯେ, ଆପର ୩୦ ବିଧାୟକ ତାଙ୍କ ପାର୍ଟି ସହ ଯୋଗାଯୋଗରେ ଅଛନ୍ତି । କଂଗ୍ରେସର ସାଂସଦ ଅମର ସିଂଙ୍କ ମତରେ ଏହା ଆପ୍ ପାର୍ଟିର ଆଭ୍ୟନ୍ତରୀଣ କନ୍ଦଳ । ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ପରାଜିତ ହେବା ପରେ ଏବେ ପଞ୍ଜାବକୁ ନିଜ ନିୟନ୍ତ୍ରଣକୁ ସଂପୂର୍ଣ୍ଣ ଭାବେ ନେବାକୁ ଉଦ୍ୟମ କରିବେ ।
ବିଜେପି ନେତା ବୃଜଭୂଷଣ ଶରଣ ସିଂ ସୋମବାର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ପଞ୍ଜାବରେ ଆପ ସରକାର କେଉଁ ସମୟରେ ବି ଭାଙ୍ଗିପାରେ । ମଙ୍ଗଳବାର ବିଜେପି ସାଂସଦ ଯୋଗେନ୍ଦ୍ର ଚନ୍ଦୋଲିଆ କହିଛନ୍ତି ଯେ, କେଜ୍ରିୱାଲଙ୍କୁ ଭୟ ଯେ, ଦିଲ୍ଲୀ ପରି ପଞ୍ଜାବର ସରକାର ଯେମିତି ହାତରୁ ନ ଖସି ଯାଉ । ଏଥିପାଇଁ ଦଳରେ ଏବେ ହାହାକାର ସ୍ଥିତି ଲାଗି ରହିଛି ।
ପଞ୍ଜାବ ସରକାରରେ ମନ୍ତ୍ରୀ ବଲଜିତ କୌର କହିଛନ୍ତି, କେଜ୍ରିୱାଲ ସର୍ବଦା ମିଟିଂ ନିଅନ୍ତି । ସମୟ ସମୟରେ ସମସ୍ତ ବିଧାୟକ, ମନ୍ତ୍ରୀ, କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ପାର୍ଟିକୁ କେମିତି ଆଗକୁ ବଢାଯିବ ତାହା ଉପରେ ଆଲୋଚନା କରନ୍ତି । ଏହା ଆମର ରୁଟିନ ପ୍ରକ୍ରିୟା । ପଞ୍ଜାବରେ ଭଗବନ୍ତ ମାନ ସରକାରଙ୍କୁ କୌଣସି ପ୍ରକାରର ବିପଦ ନାହିଁ ।