ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଫ୍ରାନ୍ସ ଗସ୍ତରେ ରାଜଧାନୀ ପ୍ୟାରିସରେ ପହଞ୍ଚିଛନ୍ତି । ସେଠାରେ ଉପସ୍ଥିତ ଭାରତୀୟ ସମୁଦାୟ ଢୋଲ ବାଜା ବଜାଇ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିଛନ୍ତି । ଭାରତୀୟ ସମୁଦାୟର ଲୋକେ ହାତରେ ଭାରତର ପତାକା ଧରି ମୋଦୀଙ୍କ ଗ୍ୟାରେଣ୍ଟିର ଗୀତ ଗାଉଥିବା ଦେଖିବାକୁ ମିଳିଥିଲା । ଫ୍ରାନ୍ସର ଏହି ଗସ୍ତରେ ପିଏମ ମୋଦୀ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବେ । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ବିଶ୍ୱ ଯୁଦ୍ଧ ସମୟରେ ସହିଦ ଭାରତୀୟ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ପ୍ରଧାନମନ୍ତ୍ରୀ ଫେବୃଆରୀ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସରେ ରହିବେ । ଏହା ପରେ ଆମେରିକା ଗସ୍ତ କରିବେ ।
ଏହା ପୂର୍ବରୁ ପ୍ୟାରିସ ବିମାନ ବନ୍ଦରରେ ପିଏମ ନରେନ୍ଦ୍ର ମୋଦୀଙ୍କ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ସମୟରେ ଗାର୍ଡ ଅଫ ଅନର ମଧ୍ୟ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ସେବଷ୍ଟିୟନ ଲେକୋର୍ଣ୍ଣୁ ବିମାନ ବନ୍ଦର ପହଞ୍ଚିଥିଲେ । ପିଏମ ମୋଦୀ ନିଜର ଏହି ଗସ୍ତରେ ମାକ୍ରୋନଙ୍କ ସହିତ ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରିବେ ।
ଦୁଇ ନେତା ପ୍ରଥମେ ଫ୍ରାନ୍ସରେ ପ୍ରଥମ ଭାରତୀୟ ବାଣିଜ୍ୟ ଦୂତାବାସର ଉଦଘାଟନ କରିବେ । ଏହା ପରେ ଅନ୍ତର୍ଜାତୀୟ ଥର୍ମୋନ୍ୟୁକ୍ଲିୟର ପ୍ରାୟୋଗିକ ରିଆକ୍ଟର ପ୍ରକଳ୍ପର ଗସ୍ତ କରିବା ସହିତ ଐତିହାସିକ ସହର ମାର୍ସିଲେ ମଧ୍ୟ ଯାତ୍ରା କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଏଆଇ ଆକ୍ସନ ସମିଟିର ସହ ଅଧ୍ୟକ୍ଷତା କରିବେ । ଏଆଇ ଆକ୍ସନ ସମିଟରେ ପ୍ରତି ବର୍ଷ ଦୁନିଆର ଅନେକ ବଡ ନେତା ଯୋଗ ଦେଇଥାନ୍ତି ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଡାଣ ଭରିବା ପୂର୍ବରୁ ସୂଚନା ଦେଇଥିଲେ ଯେ, ସେ ଫ୍ରାନ୍ସ ଓ ଆମେରିକା ଗସ୍ତରେ ଯାଉଛନ୍ତ । ଆଗାମୀ କିଛି ଦିନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଫ୍ରାନ୍ସ ଓ ଆମେରିକାରେ ରହିବି । ଭାରତ ଓ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମଜବୁତ କରିବା ପାଇଁ ରାଷ୍ଟ୍ରପତି ଇମାନୁଏଲ ମାକ୍ରାନଙ୍କ ସହିତ ଆଲୋଚନା କରିବେ ବୋଲି ମୋଦୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ।