ଭୁୁବନେଶ୍ୱର : ସୁଭଦ୍ରା ଟଙ୍କା ପାଇ ନ ଥିବା ହିତାଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଅପିଲ୍ । ଯେଉଁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନା ପାଇ ନାହାନ୍ତି, ବ୍ୟାଙ୍କ ଯାଇ ଡିବିଟି ଆକ୍ଟିଭ କରିବାକୁ ଉପମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି । ଡିବିଟି ଆକ୍ଟିଭ ହୋଇ ନ ଥିଲେ ସୁଭଦ୍ରା କିସ୍ତି ଟଙ୍କା ଆକାଉଣ୍ଟକୁ ଯିବନି । ଅଙ୍ଗନବାଡି କେନ୍ଦ୍ର, ବ୍ଲକରେ ରିଜେକ୍ଟ ମହିଳାଙ୍କ ତାଲିକା ଅଛି । ସୁଭଦ୍ରା କମିଟି ସଦସ୍ୟଙ୍କୁ ଭେଟନ୍ତୁ, ସେ ଚାହିଁଲେ ଲିଷ୍ଟରେ ନାଁ ଯୋଡି ହେବ ।
ଫେବୃଆରୀ ୮ ତାରିଖରେ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆକାଉଣ୍ଟକୁ ଯାଇଛି । ଏଥିରେ ୧୮ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଉପକୃତ ହୋଇଛନ୍ତି । ଯାଜପୁରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିଥିଲେ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ହୋଇଛି ।
ସୂଚନାଯୋଗ୍ୟ, ପୂର୍ବରୁ ୩.୩୮ ଲକ୍ଷ ହିତାଧିକାରୀଙ୍କ ଏନପିସିଆଇ( NPCI) କ୍ଲିୟରାନ୍ସ ସମସ୍ୟା ଥିଲା । ସେମାନଙ୍କ ମଧ୍ୟରୁ ୬୮ ହଜାର ମହିଳାଙ୍କର ସମସ୍ୟା ସମାଧାନ ହୋଇଛି । ବାକି ଯେଉଁମାନଙ୍କର ସମସ୍ୟା ରହିଛି, ସେମାନଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ । ଏହାସହ ଯେଉଁମାନେ NPCIରେ ରହିଯିବେ ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯୋଡ଼ାଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମାର୍ଚ୍ଚ ୮ରେ ଯେଉଁମାନେ ଯୋଡି ହେବେ ସେମାନେ ଉଭୟ ପ୍ରଥମ କିସ୍ତି ଓ ଦ୍ଵିତୀୟ କିସ୍ତିର ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।