ନାଗପୁର: ଗାଡ଼ି ଚଲାଇବା ତାଲିମ ନେଉଥିବାବେଳେ ଏକ ବଡ଼ ଅଘଟଣ ଘଟିଛି । ଡ୍ରାଇଭିଂ ଶିଖୁଥିବାବେଳେ କୂଅରେ ପଡ଼ିଯାଇଛି କାର୍ । ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏକ ମର୍ମନ୍ତୁଦ ଏବଂ ଦୁଃଖଦ ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ବୁଟିବୋରି ଥାନା ଅନ୍ତର୍ଗତ ବାଲଭାରତୀ ମୈଦାନ ନିକଟରେ ।
କାର ତିନି ଜଣ ଥିବାବେଳେ ଗାଡି ଚାଳନା ଶିଖୁଥିଲେ । ଏହି ସମୟରେ କାରଟି ଏକ କୂଅରେ ଖସି ପଡ଼ିଥିଲା । ସୂଚନା ମିଳିବା ମାତ୍ରେ ନିକଟବର୍ତ୍ତୀ ଅଞ୍ଚଳର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ସହିତ ଯୁବକମାନଙ୍କୁ ଉଦ୍ଧାର କରିଥିଲା । ମାତ୍ର ସେତେବେଳକୁ ସମସ୍ତଙ୍କର ମୃତ୍ୟୁ ହୋଇସାରିଥିଲା । କାରରେ ଥିବା ଦୁଇ ଭାଇଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତ ଯୁବକମାନେ ହେଲେ ସୁରଜ ଚୱାନ, ସାଜନ ଚୱାନ ଏବଂ ସନ୍ଦୀପ ଚୱାନ ବୋଲି କୁହାଯାଉଛି । ସୂରଜ ଏବଂ ସାଜନ ଦୁଇ ଜଣ ଭାଇ ହୋଇଥିବାବେଳେ ସନ୍ଦୀପ ସୂରଜଙ୍କ ସାଙ୍ଗ ବୋଲି ଜଣାପଡ଼ିଛି ।
ବୁଟିବୋରି ପୋଲିସ ଇନ୍ସପେକ୍ଟର ପ୍ରତାପ ଭୋସଲେ କହିଛନ୍ତି ଯେ ଘଟଣାଟି ସୋମବାର ବିଳମ୍ବିତ ରାତିରେ ଘଟିଛି । ଗୋଟିଏ କାରରେ ତିନି ଜଣ ଯୁବକ ଥିଲେ । ଯେଉଁଥିରେ ଜଣେ ଯୁବକ ଗାଡ଼ି ଚଲାଇବା ଶିଖୁଥିଲା । ତେବେ ହଠାତ୍ କାରର ଗତି ବଢ଼ିଯାଇଥିଲା ଏବଂ କାରଟି ନିୟନ୍ତ୍ରଣ ହରାଇ କ୍ଷେତ ପାଖରେ ଥିବା ଏକ କୂଅରେ ପଡ଼ିଯାଇଥିଲା ।