ନୂଆଦିଲ୍ଲୀ : ଧିରେ ଧିରେ ସୁଧୁରୁଛି ଓଲିଉଡ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା । ଅନେକ କଳାକାରଙ୍କ ସମେତ ରାଜନେତା ମାନେ ମଧ୍ୟ ହସ୍ପିଟାଲରେ ଉତ୍ତମଙ୍କୁ ଭେଟିଛନ୍ତି । ଏଥିସହ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି । ଏହାରି ଭିତରେ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଭେଟିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୁରୁଗ୍ରାମର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଉତ୍ତମଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ପାଖରୁ ବୁଝିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଉତ୍ତମ ମହାନ୍ତିଙ୍କ ପୁଅ ବାବୁସାନଙ୍କ ସହ ମଧ୍ୟ କଥା ହୋଇଛନ୍ତି ।
ହସ୍ପିଟାଲରେ ଉତ୍ତମଙ୍କ ଚିକିତ୍ସା ପାଇଁ ଯାହା ଆବଶ୍ୟକ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି । ନିୟୋଜିତ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି । ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହୋଇଥିବା ଅଭିନେତା ଉତ୍ତମ ମହାନ୍ତିଙ୍କ ଉନ୍ନତ ଚିକିତ୍ସା ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଇଛି ।
ସୂଚନା ଅନୁସାରେ, ଅଭିନେତା ଉତ୍ତମ ମହାନ୍ତି ଏକ ଫିଲ୍ମର ସୁଟିଂ ପାଇଁ ବାହାରକୁ ଯାଇଥିଲେ । ସେଠାରେ ହିଁ ତାଙ୍କର ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଥିଲା । ତାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏହା ପରେ ଚିକିତ୍ସା ହୋଇ ଘରକୁ ଆସିଥିଲେ । ହେଲେ ପୁଣି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ଗତ ୮ ତାରିଖରେ ତାଙ୍କୁ ଗୁରୁଗ୍ରାମକୁ ଏୟାରଲିଫ୍ଟ କରାଯାଇଥିଲା । ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରୀନ୍-କରିଡ଼ରରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ନିଆଯାଇଥିଲା । ସେଠାରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଏୟାରଲିଫ୍ଟ କରାଯାଇଥିଲା । ଏବେ ସେ ବର୍ତ୍ତମାନ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ତାଙ୍କର ଅବସ୍ଥା ଏବେ ସ୍ଥିର ରହିଛି ।