ଭୁୁବନେଶ୍ୱର : ରାଜଧାନୀରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷ କରି ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ଟ୍ରାଫିକ ସମସ୍ୟା ଅଧିକ ରହୁଛି । ତେଣୁ ଲୋକଙ୍କୁ ବହୁତ ସମୟ ଲାଗୁଛି । ଏହାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ଆରମ୍ଭ ହେବ ଜୟଦେବ-ବିହାର-ନନ୍ଦନକାନନ ଫ୍ଲାଏଓଭର ବ୍ରିଜ । ଏ ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସେ କହିଛନ୍ତି, ଖୁବଶୀଘ୍ର ଜୟଦେବ-ବିହାର-ନନ୍ଦନକାନନ ଫ୍ଲାଏଓଭର ବ୍ରିଜ ଆରମ୍ଭ ହେବ । କାରଣ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇ ସାରିଛନ୍ତି । ସବୁ ଦିଗକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ନୂଆ ଫ୍ଲାଏ ଓଭର ରାଜଧାନୀବାସୀଙ୍କ ଜୀବନରେଖା ପାଲଟିବ । ଏଥିରେ ଟ୍ରାଫିକ ସମସ୍ୟାରେ ସୁଧାର ଆସିବ ।
ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଜୟଦେବ ବିହାରକୁ ସଂଯୋଗ କରି ନନ୍ଦନକାନନ ପର୍ଯ୍ୟନ୍ତ ଯିବ ଓଭରବ୍ରିଜ । ମଝିରେ ମଝିରେ ବଡ ଛକରେ ଏସକେପ୍ ୱେ ରହିବ । ଓଭରବ୍ରିଜରେ ଯାଉଥିବା ଲୋକଙ୍କୁ ତଳକୁ ଓହ୍ଲାଇବାକୁ ସମସ୍ୟା ହେବନି । ଯେଉଁ ରାସ୍ତା ତଳେ ଚାଲିଛି ଚାଲିବ, ଉପରେ ୪ ଲେନ ରାସ୍ତା ହେବ । ଫଳରେ ଟ୍ରାଫିକ ସମସ୍ୟା କମିଯିବ ।
ଏ ନେଇ ଡିପିଆର ପ୍ରସ୍ତୁତ ହୋଇ ଯାଇଛି । ପୂର୍ତ୍ତ ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଜୟଦେବ ବିହାର ନନ୍ଦନକାନନ ଫ୍ଲାଏ ଓଭର ପ୍ରକଳ୍ପର ବଡ ଅଂଶ ଆର୍ଥିକ ବର୍ଷ ୨୦୨୭-୨୮ ପର୍ଯ୍ୟନ୍ତ ପୂରା କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।