ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅଧିନସ୍ଥ ଓସ୍ତପୁର ଏବଂ କୋଟପଲ୍ଲା ଗାଁ ମଧ୍ୟରେ ସୀମାକୁ ନେଇ ବିବାଦ ଦେଖା ଦେଇଛି । ଉତ୍ତେଜନା ପରିସ୍ଥିତିକୁ ଦେଖି ଦୁଇ ଦିନ ପାଇଁ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ଏହା ସହିତ ଓସ୍ତପୁର ବଜାରରେ ବିଏନ୍ଏସ୍ ଧାରା ୧୬୩ ଲାଗୁ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ କିଶୋର ପଣ୍ଡା ।
ସୀମା ବିବାଦକୁ ନେଇ ଓସ୍ତପୁର ଏବଂ କୋଟପଲ୍ଲା ଗାଁ ମଧ୍ୟରେ ବିବାଦ ଲାଗି ରହିଥିଲା । ଆଜି ସ୍ଥାନୀୟ ବିଦ୍ୟାଳୟରେ ଜଣେ ପିଲାକୁ କିଛି କହିବାକୁ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷ ବଜାରରେ ଦୋକାନ ଭଙ୍ଗାରୁଜା ହୋଇଛି । ପ୍ରାୟ ୧୦ରୁ ୧୫ ଦୋକାନ ଭଙ୍ଗାରୁଜା ସହ ଟେକା ପଥର ମାଡ଼ ହୋଇଥିଲା । ଏଥିରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଛି । ତୁରନ୍ତ ସେଠାରେ ପୋଲିସ ମୁତୟନ କରାଯାଇଛି ।
ଉପଜିଲ୍ଲାପାଳ, ତହସିଲଦାର ଓ ଏସଡିପିଓ ନିଜେ ଘଟଣାସ୍ଥଳରେ ପହଁଚି ସ୍ଥିତି ପରଖିଥିଲେ । ଏହା ପରେ ଉତ୍ତେଜନା ପରିସ୍ଥିତିକୁ ଦେଖି ବଜାରର ୧ କିଲୋମିଟର ପରିଧି ମଧ୍ୟରେ ବିଏନ୍ଏସ୍ ଧାରା ୧୬୩ ଲାଗୁ କରାଯାଇଛି । ହନୁମାନବାଟିକାଠାରୁ ବାରିକ ପୋଖରୀ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରା ବଳବତ୍ତର ରହିବ । କୌଣସି ଦୋକାନ ଖୋଲାଯାଇ ପାରିବ ନାହିଁ । ଏହା ସହିତ ସ୍ଥାନୀୟ ସ୍କୁଲକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ଘଟଣା ସ୍ଥଳରେ ଗୋଟିଏ ପ୍ଲାର୍ଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲାପାଳଙ୍କ ସ୍ତରରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।