ଭୁବନେଶ୍ୱର: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ଏବଂ ଶିକ୍ଷକ ତଥା ଏକ୍ସକ୍ୟାଡ଼ର ଶିକ୍ଷକ ସଂଘ ନେତା ବିଜୟ କୁମାର ମିଶ୍ର ରିମାଣ୍ଡରେ ଯିବେ । ଉଭୟଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ମିଳିଛି । ଆସନ୍ତା ୧୧ ଏବଂ ୧୨ ତାରିଖରେ ଦୁଇ ଜଣ ରିମାଣ୍ଡରେ ଯିବେ ।
ଏହି ରିମାଣ୍ଡ ଅବଧି ମଧ୍ୟରେ କ୍ରାଇମବ୍ରାଞ୍ଚ ପ୍ରଶ୍ନ ପତ୍ର ଲିକ୍ ମାମଲାରେ ଆହୁରି ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ମିଳିପାରେ । ଏହି ମାମଲାର ଚେର୍ ଆଉ କେତେଦୂର ଲମ୍ବିଛି ତାହା ଗୋଟି ଗୋଟି ଜଣାପଡ଼ିବ ।
ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ସହିତ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ଡକ୍ଟର୍ ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି । ଉପସଭାପତିଙ୍କୁ ଲାପଟପରୁ ହିଁ ପ୍ରଶ୍ନ ପତ୍ର ଚୋରି କରିଥିଲା ଡାଟା ଏଣ୍ଟ୍ରି ଅପରେଟର୍ । ଅନ୍ୟ ଅଭିଯୁକ୍ତ ହେଲେ ଶିକ୍ଷକ ତଥା ଏକ୍ସକ୍ୟାଡ଼ର ଶିକ୍ଷକ ସଂଘ ନେତା ବିଜୟ କୁମାର ମିଶ୍ର, କୋରାପୁଟ ଜିଲ୍ଲା ସାଗରଗୁଡା ଗ୍ରାମର ସନାତନ ବିଶୋୟୀ, କଟକ ଜିଲ୍ଲା ବାଦମବାଡି ଥାନା ଅଧୀନ ନାରାୟଣ ଲେନର ରାମଜୀ ପ୍ରସାଦ ଗୁପ୍ତା, ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅଧୀନ ଲିଙ୍ଗିପଲୀ କେଶବନଗରର ଅଜୟ କୁମାର ସାହୁ, ବାଲେଶ୍ବର ଜିଲ୍ଲା ରୁପସା ଥାନା ଅଧୀନ ଜୁକାନନ୍ଦି ଗ୍ରାମର ଜୟନ୍ତ କୁମାର ଓ କଳାହାଣ୍ଡି ଭେଜିପଦାର ହାଇସ୍କୁଲର ଶିକ୍ଷକ ପ୍ରଶାନ୍ତ କୁମାର ଖମାରୀଙ୍କୁ ଗିରଫ କରିଥିଲା ।
ତେବେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଏବଂ ଭେଜିପଦାର ହାଇସ୍କୁଲର ଶିକ୍ଷକ ପ୍ରଶାନ୍ତ କୁମାର ଖମାରୀଙ୍କୁ ନିଲମ୍ବନ କରାଯାଇଛି ।