ଭୁବନେଶ୍ୱର: ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶାରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବଲିଉଡ ହିରୋଇନ୍ ମାଧୁରୀ ଦୀକ୍ଷିତ। ଗୁରୁବାର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ମାଧୁରୀ ଯୋଗ ଦେଇ ‘EKTA’ର ଶୁଭାରମ୍ଭ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉପସ୍ଥିତ ରହିଛନ୍ତି।
ସେହିଭଳି ଆସନ୍ତା ଅଗଷ୍ଟ ୮ ଓ ୯ ତାରିଖରେ ମଧ୍ୟ ଏକତା ଉତ୍ସବକୁ ପାଳନ କରାଯିବ । ଜନତା ମଇଦାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଫ୍ୟାଶନ୍ ଶୋ ମଧ୍ୟ ଆୟୋଜିତ ହେବ। ସେହିଭଳି ୭ ରୁ ୧୩ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ମେଗା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଜାରି ରହିବ ଯେଉଁଥିରେ ୬୦ଟି ଷ୍ଟଲ ରହିବ ଯେଉଁଥିରେ ଅଂଶଗ୍ରହଣ କରିବେ ପ୍ରାୟ ୧୫୦୦ ରୁ ଅଧିକ ବୁଣାକାର । ଉତ୍ସବରେ ଅଂଶଗ୍ରହଣ କରିବାକୁ ଜନସାଧାରଣଙ୍କୁ ନିବେଦନ କଲେ ମନ୍ତ୍ରୀ ପ୍ରଦିପ ବଳସାମନ୍ତ ।
କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରିବା ପାଇଁ ବିଭିନ୍ନ କର୍ମଶାଳାର ଆୟୋଜନ ହେବ । କ୍ରେତା-ବିକ୍ରେତା-ନିର୍ମାତା ସମ୍ମିଳନୀ ସହ ଡିଜାଇନର ଓ କାରିଗରଙ୍କ ସହ ବିଶେଷ ଅଧିବେଶନ ମଧ୍ୟ ଆୟୋଜନ କରାଯିବ । ଯୋଗ୍ୟ ବୁଣାକାରମାନଙ୍କୁ ଏହି ଅବସରରେ ପୁରସ୍କୃତ ମଧ୍ୟ କରାଯିବ । ଏହା ଦ୍ବାରା ବୁଣାକାରଙ୍କ ସଶକ୍ତିକରଣ ସହ ଜାତୀୟ ସମନ୍ୱୟ, ବିଶ୍ବ ବ୍ରାଣ୍ଡିଂ ଏବଂ ବୃହତ୍ ବଜାର ପ୍ରବେଶ ମାଧ୍ୟମରେ ବୁଣାକାରଙ୍କ ଜୀବନ-ଜୀବିକା ଅଧିକ ସୁଦୃଢ ହୋଇପାରିବ ।